ରାଜ୍ୟରେ ୩୧୫ କରୋନା ସଂକ୍ରମିତ ଚିହ୍ନଟ, ୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଆଜି ୩ ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୧୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୬୨୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଏଥିସହିତ ରାଜ୍ୟରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୭୩କୁ ବୃଦ୍ଧି ପାଇଛି।

ଆଜିର ସଂକ୍ରମିତ ରିପୋର୍ଟ ଅନୁସାରେ କଟକରୁ ସର୍ବାଧିକ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨,୫୯୨ ଜଣ ଚିକିତ୍ସାଧୀନ ଥିବାବେଳେ ୩ ଲକ୍ଷ ୨୫ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।