ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପାର୍ଲିଆମେଣ୍ଟର ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଏହା ୨୦୨୨ ମସିହା ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏନେଇ ଲୋକସଭା ସଚିବାଳୟ ତରଫରୁ ଆଜି ସୂଚନା ଦିଆଯାଇଛି। ତେବେ ସେ ପର୍ଯ୍ୟନ୍ତ ପୁରୁଣା ଗୃହରେ ଯେପରି ନିରବିଚ୍ଛିନ୍ନ କାର୍ଯ୍ୟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି।
ଅଧିକାରୀଙ୍କ ସୂଚନା ଅନୁସାରେ ନୂତନ ନିର୍ମାଣ ହେବାକୁଥିବା ସଂସଦ ଗୃହରେ ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି। ଏଥିସହିତ ସମସ୍ତ ସାଂସଦଙ୍କ ନିମନ୍ତେ ପୃଥକ କାର୍ଯ୍ୟାଳୟ ପ୍ରସ୍ତୁତ ହେବ। ଯେଉଁଠାରେ ଅତ୍ୟାଧୁନିକ ଟେକନୋଲୋଜି ସହିତ ପେପର ଲେସ ସୁବିଧା ଉପଲବ୍ଧ ରହିବ।
ତେବେ ଏହି ନୂତନ ବିଲ୍ଡିଂରେ ଉତ୍କୃଷ୍ଟ ସାମ୍ବିଧାନିକ କକ୍ଷ ଯେଉଁଠାରେ ଭାରତର ଗଣତାନ୍ତ୍ରିକ ଐତିହ, ସାଂସଦମାନଙ୍କ ପାଇଁ ବିଶ୍ରାମ କକ୍ଷ, ଲାଇବ୍ରେରି, ମଲ୍ଟିପୁଲ କମିଟି କକ୍ଷ, ଡାଇନିଂ ଏରିଆ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ରହିବ।
ସେହିପରି ନୂତନ ବିଲ୍ଡିଂର ଲୋକସଭା ଚାମ୍ବରରେ ୮୮୮ ଜଣଙ୍କ ବସିବାର କ୍ଷମତା, ରାଜ୍ୟସଭା ଚାମ୍ବରରେ ୩୮୪ ଜଣଙ୍କ ବସିବାର କ୍ଷମତା ରହିଥିବା ଲୋକସଭା ବାଚସ୍ପତି ଓମ ବିର୍ଲା ଏକ ମିଟିଂରେ ଏହାର ସମୀକ୍ଷା କରି ସୂଚନା ଦେଇଛନ୍ତି। ଭବିଷ୍ୟତରେ ଉଭୟ ସଦନରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ କରି ଏହି ନୂତନ ବିଲ୍ଡିଂର ଢ଼ାଞ୍ଚା ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।