ଏପ୍ରିଲ ଶେଷ ସୁଦ୍ଧା ନୂଆ ଓଡ଼ିଶା ପିସିସି ସଭାପତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ନୂଆ ସଭାପତି କିଏ ହେବେ ତାକୁ ନେଇ ଗତ କିଛି ଦିନ ହେଲା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାର। ଅଖିଳ ଭାରତୀୟ କଂଗ୍ରେସ କମିଟି ଏପ୍ରିଲ ଶେଷ ସୁଦ୍ଧା ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ବୋଲି ଆଜି ଡ. ଚେଲ୍ଲା କୁମାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ‘ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ସଭାପତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ସରିବ। ଆସନ୍ତା ସପ୍ତାହରେ ଓଡ଼ିଶା ଯାଇ ବିଧାୟଙ୍କ ସହକଥା ହେବି। ସମସ୍ତ ବିଧାୟକଙ୍କ ସହିତ ମୁହାଁମୁହିଁ ଆଲୋଚନା କରିବି। ବିଧାୟକ ମାନେ ଦିଲ୍ଲୀ ଆସିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ରାଜ୍ୟ କଂଗ୍ରେସ ନେତାମାନଙ୍କର ମେରିଟ୍ ଏବଂ ଡିମେରିଟ୍ ଦେଖାଯିବ। ଯିଏ ଗ୍ରହଣୀୟ ହେବେ ସେ ପରବର୍ତ୍ତୀ ସଭାପତି ହେବେ ବୋଲି ଚେଲ୍ଲା କୁମାର କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ ପିସିସିର ସମ୍ପୂର୍ଣ୍ଣ ସାଙ୍ଗଠନିକ ସଦସ୍ୟ ରୂପରେଖ ବଦଳିବ। ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ନୂଆ ସଦସ୍ୟ ଚୟନ କରାଯିବ। ଆଗକୁ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରରେ ମଜଭୁତ ହେବ ବୋଲି ଚେଲ୍ଲା କୁମାର କହିଛନ୍ତି।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ହଟାଇବାକୁ ଚର୍ଚ୍ଚା ଜୋର ଧରିଥିଲା। ବାରମ୍ବାର ଦିଲ୍ଲୀ ଯାଇ ଦଳୀୟ ହାଇ କମାଣ୍ଡକୁ ଭେଟିଥିଲା ତୁଙ୍ଗ ନେତା। ଅନେକ ମାନସମନ୍ଥନ ପରେ ବି ନିରଞ୍ଜନ ହିଁ ସଭାପତି ପଦରେ ପୁଣି ରହିଥିଲେ। ତେବେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ ପୁଣି ଶୋଚନୀୟ ଭାବେ ପରାଜିତ ହେବା ପେର ପୁଣି ରାଜ୍ୟ ନେତୃତ୍ୱ ସଭାପତି ପରିବର୍ତ୍ତନ ପାଇଁ ଦାବି କରିଥିଲେ।