ଓଡ଼ିଶାର ୭ଟି ମେଡିକାଲ୍ କଲେଜ ପାଇଁ କେନ୍ଦ୍ର ଦେଲା ୮୧୭ କୋଟି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାରଙ୍କ ସହଭାଗିତାରେ ଦେଶର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ସଂଲଗ୍ନ କରାଯାଇ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି । ଓଡ଼ିଶାରେ ମଧ୍ୟ ୭ଟି ଏଭଳି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏସବୁ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ମୋଟ ଖର୍ଚ୍ଚର ୬୦% ବହନ କରୁଥିବା ବେଳେ ରାଜ୍ୟ ସରକାର ୪୦% ବହନ କରୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପାୱାର ସଂସଦରେ ଦେଇଥିବା ସୂଚନା ମୁତାବକ ଓଡ଼ିଶାର ୭ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ନିଜ ଅଂଶଧନ ବାବଦକୁ ଏବେସୁଦ୍ଧା ମୋଟ ୮୧୭ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି ।

ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ମୋଟ ୧୮୯ କୋଟି ଲେଖାଏଁ ଖର୍ଚ୍ଚ ହୋଇଛି । ଯାହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶଧନ ୧୧୩ କୋଟି ୪୦ ଲକ୍ଷ ଓ ରାଜ୍ୟ ସରକାରଙ୍କ ଭାଗ ୭୫ କୋଟି ୬୦ ଲକ୍ଷ ଟଙ୍କା । କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ପାୱାରଙ୍କ ସୂଚନା ମୁତାବକ କେନ୍ଦ୍ର ସରକାର ଏହି ୪ ମେଡିକାଲ କଲେଜ ପାଇଁ ନିଜର ଅଂଶଧନର ଶତପ୍ରତିଶତ ଅର୍ଥ ଦେଇସାରିଛନ୍ତି ।

ସେହିଭଳି ଯାଜପୁରରେ ନିର୍ମାଣାଧୀନ ଥିବା ଯଯାତୀ କେଶରୀ ମେଡିକାଲ କଲେଜ ପାଇଁ ମୋଟ ୨୫୦ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ କେନ୍ଦ୍ର ସରକାର ୧୫୦ କୋଟି ଏବଂ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ କେନ୍ଦ୍ର ସରକାର ନିଜର ସମ୍ପୂର୍ଣ୍ଣ ଭାଗ ପ୍ରଦାନ କରିସାରିଛନ୍ତି । ଅନ୍ୟପଟେ କଳାହାଣ୍ଡି ଭବାନୀପାଟଣାରେ ମଧ୍ୟ ଏକ ସରକାରୀ ମେଡିକାଲ କଲେଜ କାମ ଚାଲିଛି । ଯେଉଁଥି ପାଇଁ ମୋଟ୍ ବ୍ୟୟ ଅଟକଳ ରହିଛି ୩୨୫ କୋଟି ।

କେନ୍ଦ୍ର ସରକାରଙ୍କ ଅଂଶଧନ ୧୯୫ କୋଟି ଥିବାବେଳେ ରାଜ୍ୟ ସରକାର ୧୩୦ କୋଟି ଖର୍ଚ୍ଚ କରିବେ । ତେବେ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ଏଯାଏ ୧୦୦ କୋଟି ଟଙ୍କା ପ୍ରଦାନ କରିସାରିଥିବା ବେଳେ ବଳକା ୯୫ କୋଟି ଖୁବ୍‌ଶୀଘ୍ର ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ।