ନୂଆଦିଲ୍ଲୀ,ଏଜେନ୍ସି: ରୁଷ୍-ୟୁକ୍ରେନ୍ ଯୁଦ୍ଧର ତ୍ରୟୋଦଶ ଦିନରେ ବିମାନ ଆକ୍ରମଣ ଜୋର୍ଦାର କରିଛି ରୁଷ। ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହେବାପରେ ରୁଷ୍ର ଆଭିମୁଖ୍ୟ ଆହୁରି କଠୋର ହୋଇଥିବାରୁ ଯୁଦ୍ଧ ବନ୍ଦ ହେବାଭଳି କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ। ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରି ପାରିନଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟ ଅନିଶ୍ଚିତତା ଘେରକୁ ଚାଲିଯାଇଛି। ଗତକାଲି ରାତିସାରା ପୂର୍ବ ଏବଂ କେନ୍ଦ୍ରୀୟ ୟୁକ୍ରେନ୍ର ସହରମାନଙ୍କରେ ରୁଷ୍ ବୋମାବର୍ଷା କରିଛି। ସୁମିରେ ଶତାଧିକ ଘର ଛାରଖାର ହୋଇଯାଇଛି। ଜିଟୋମିର୍ରେ ଏକ ତୈଳ ଡିପୋକୁ ମଧ୍ୟ ବୋମାମାଡ଼ରେ ନଷ୍ଟ କରିଦେଇଛି ରୁଷ।
ଅନ୍ୟପକ୍ଷେ ୟୁକ୍ରେନ୍ରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ରୁଷ୍ ସେନା ବାହିନୀ ଖାଦ୍ୟ, ପାଣି , ଇନ୍ଧନ ଏବଂ ଔଷଧ ବନ୍ଦ କରିବାଦ୍ବାରା ଦିନକୁ ଦିନ ସଙ୍କଟ ବଢ଼ୁଛି। ରୁଷ୍ ଲୋକଙ୍କ ଉପରେ ଚାପ ସୃଷ୍ଟି କରି ସହର ଖାଲି କରିବାକୁ ମଧ୍ୟଯୁଗୀୟ କୌଶଳ ଅବଲମ୍ବନ କରୁଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି। ରୁଷ୍ ମାରିୟୁପୋଲରେ ଏକ ମାନବୀୟ କରିଡର୍ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସୃଷ୍ଟି କରି ମାନବାଧିକାର ଉଲ୍ଳଂଘନ କରିଛି। ମାନବୀୟ କରିଡର୍ ନିକଟରେ ହିଁ ରୁଷ୍ ଆକ୍ରମଣ କରୁଛି। ତେବେ ରୁଷ୍ ଏହାକୁ ଖଣ୍ଡନ କରିଛି। ସାଧାରଣ ଲୋକଙ୍କୁ ଢାଲ ବନାଇ ୟୁକ୍ରେନ୍ ସେନା ତା’ର ପରିବହନ କାର୍ଯ୍ୟ ଚଳାଇବା ପାଇଁ ମସୁଧା କରୁଛି ଏବଂ ଏଥିରେ ବାଧା ଉପୁଜିଲେ ମିଥ୍ୟା ଅଭିଯୋଗ ଆଣୁଛି ବୋଲି ରୁଷ୍ ମୁଖପାତ୍ର କହିଛନ୍ତି।
ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ନାଟୋ ରାଷ୍ଟ୍ରମାନଙ୍କ ରଣନୀତି ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ସତର୍କ କରାଇଦେଇଛନ୍ତି ଯେ ରୁଷ୍ ବିଭୀଷିକାରୁ ସେମାନେ ମଧ୍ୟ ତ୍ରାହି ପାଇବେ ନାହିଁ। ଆମେରିକା ଏବଂ ଅନ୍ୟ ନାଟୋ ଦେଶଙ୍କ ଠାରୁ କୌଣସି ପ୍ରକାର ସାମରିକ ସହାୟତା ମିଳୁନଥିବାରୁ ସେ ଅସହାୟତା ପ୍ରକାଶ କରିଛନ୍ତି।
ଯୁଦ୍ଧ ଯୋଗୁଁ ଇତିମଧ୍ୟରେ ୨୦ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ିଦେଲେଣି। ଦେଶ ଛାଡ଼ିଥିବା ଅଧିକାଂଶ ଲୋକମାନେ ହେଉଛନ୍ତି ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି। ଶରଣାର୍ଥୀଙ୍କ ପାଇଁ ଜାତିସଂଘ ହାଇକମିସନର ଫ୍ଲିପୋ ଗ୍ରାଣ୍ଡି କହିଛନ୍ତି ଯେ ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୁଷମାନେ ଯୁଦ୍ଧ କରୁଛନ୍ତି ଏବଂ ମହିଳାମାନଙ୍କୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ୁଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ହେବା
ପରଠାରୁ ଏଯାବତ୍ ୨୮୧,୦୦୦ ଶରଣାର୍ଥୀ ରୋମାନିଆ ଚାଲି ଯାଇଛନ୍ତି। ରୁଷ୍ ଆକ୍ରମଣ ଯୋଗୁଁ ୟୁକ୍ରେନ୍ରେ ୪୭୪ ଜଣଙ୍କ ମୃତ୍ୟୁ ହେଲାଣି। ୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ୍ର ପ୍ରାୟ ୩ ହଜାର ସେନା ପ୍ରତିଷ୍ଠାନ ଧ୍ବଂସ ହୋଇଥିବା ବେଳେ ବାୟୁସେନା ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛି। ୟୁକ୍ରେନ୍ ନୌସେନାକୁ ମଧ୍ୟ ରୁଷ୍ ପ୍ରଥମେ ପଙ୍ଗୁ କରିଦେଇଛି। ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଭାରତ, ଚୀନ୍ ଏବଂ ପର୍ସିଆନ ଗଲ୍ଫର ପ୍ରାୟ ୧୦ ହଜାର ଛାତ୍ର ଯୁଦ୍ଧ ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ଲକ୍ଷାଧିକ ବିଦେଶୀ ନାଗରିକଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି।