ବଲାଙ୍ଗିର ଏସ୍‌ପିଙ୍କୁ ଏନ୍‌ସିପିସିଆରଙ୍କ ନୋଟିସ୍‌, ୫ ଦିନରେ ଜବାବ ଦିଅ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନ୍‌ସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ। ଏହି ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ପୂର୍ବରୁ ବହୁ ଅନୈତିକ କାର୍ଯ୍ୟକଳାପ କରିଆସୁଥିବାର ଅଭିଯୋଗ ହୋଇଛି। ଏଭଳି ଏକ ମାମଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର)ଙ୍କ ହସ୍ତଗତ ହୋଇଛି। ମାର୍କ ବଢ଼ାଇବା ନାଁରେ ଗୋବିନ୍ଦ ସ୍କୁଲର ଗୁପ୍ତ କୋଠରୀରେ ଛାତ୍ରୀଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ ପାଇ ବଲାଙ୍ଗିର ଏସ୍‌ପିଙ୍କୁ ନୋଟିସ୍ ଜାରି କରିଛନ୍ତି ଏନ୍‌ସିପିସିଆର ରେଜିଷ୍ଟ୍ରାର ଅନୁ ଚୌଧୁରୀ। ୫ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବଲାଙ୍ଗିର ଏସ୍‌ପିଙ୍କୁ ଏନ୍‌ସିପିସିଆର ପଠାଇଥିବା ଚିଠିରେ ଲେଖିଛନ୍ତି ଯେ ମହାଲିଙ୍ଗ ସ୍ଥିତ ସନ୍‌ସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ ସେଠାରେ ନାବାଳିକାଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ ଆୟୋଗଙ୍କ ଦୃଷ୍ଟିକୁ ଆସିଛି। ଗୋବିନ୍ଦ ସାହୁ ଦ୍ୱାରା ଏସବୁ ଯୌନ କେଳେଙ୍କାରୀ ସ୍କୁଲର ଏକ ଅଲଗା କୋଠରୀରେ ହେଉଥିଲା। ସେ ନାବାଳିକା ଝିଅମାନଙ୍କୁ ମାର୍କ ବଢ଼ାଇଦେବ ବୋଲି କହି ଏଥିପାଇଁ ରାଜି କରାଉଥିଲା। ପ୍ରଭାବଶାଳୀ ଲୋକମାନେ ସ୍କୁଲକୁ ନିୟମିତ ବ୍ୟବଧାନରେ ଯାଉଥିଲେ। ଏହି ଶୋଷଣ କାର୍ଯ୍ୟକଳାପରେ ଉଭୟ ପୁଅ ଏବଂ ଝିଅମାନଙ୍କୁ ଟାର୍ଗେଟ୍ କରାଯାଉଥିଲା।

ଉପରୋକ୍ତ ଅଭିଯୋଗ ଉପରେ ପକ୍ସୋ ଅଧିନିୟମ, ୨୦୧୨ ଆଧାରରେ ତଦନ୍ତ କରିବାକୁ ବଲାଙ୍ଗିର ଏସ୍‌ପିଙ୍କୁ କହିଛନ୍ତି ଏନ୍‌ସିପିସିଆର। ଏଥିସହ ୫ ଦିନ ମଧ୍ୟରେ ଏଫ୍‌ଆଇଆର ଓ ଏମ୍‌ଏଲ୍‌ଆର ନକଲ, ପୀଡ଼ିତାଙ୍କ ବୟାନର ନକଲ, ମାମଲାରେ ସିଡବ୍ଲ୍ୟୁସିର ଆଦେଶର ନକଲ, ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସବିଶେଷ ବିବରଣୀ, ସ୍କୁଲରେ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତାଲିକା, ଯୌନଶୋଷଣର ଶିକାର ହୋଇଥିବା ପୁଅ ଝିଅଙ୍କ ବୟସ ବିବରଣୀ ଏବଂ ଘଟଣାରେ ସ୍କୁଲ ଅଧିକାରୀଙ୍କ ସଂପୃକ୍ତି ଅଛି ନା ନାହିଁ ଏନେଇ ରିପୋର୍ଟ ଦେବାକୁ ବଲାଙ୍ଗିର ଏସ୍‌ପିଙ୍କୁ ଚିଠିରେ ଜଣାଇଛନ୍ତି ଏନ୍‌ସିପିସିଆର।