ମନୀଷ ହତ୍ୟାକାଣ୍ଡ ମାମଲା: କନ୍‌ଷ୍ଟେବଳ, ହୋଟେଲ୍ ମାଲିକଙ୍କୁ ଜେଲ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମନୀଷ ହତ୍ୟାକାଣ୍ଡ ମାମଲାର ମୁଖ୍ୟ କାରଣ ପାଲଟିଥିବା ‘ସାଉଥ୍‌ସିଟି ହୋଟେଲ୍ ଆଣ୍ଡ୍ ବାର୍‌’ ମାଲିକ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। କନ୍‌ଷ୍ଟେବଳ ପ୍ରସନ୍ନ ବେହେରା, ‘ସାଉଥ୍‌ସିଟି’ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କ ସମେତ ବାର୍ ମ୍ୟାନେଜର ସୌଭିକ କୁମାର ଜେନାଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି। ଏମାନେ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ କରିବା ସହ ବେଆଇନ ଭାବେ ବାର୍ ଚଳାଉଥିଲେ। ତେଣୁ ସେମାନଙ୍କ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଏନେଇ ତମାଣ୍ଡୋ ଥାନା ପୁଲିସ କେସ୍ ନଂ ୨୨୧/୨୧ରେ ଆଇପିସି ଧାରା ୨୬୯/୨୭୦/୧୬୮/୧୨୦(ବି) ସମେତ ୫୨(ଏ) ଓଡିଶା ଅବକାରୀ ଆଇନ-୯୬ ଓୟୁପି ଆକ୍ଟ/୩ ଇଡି ଆକ୍ଟରେ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାର ଅଧିକ ତଦନ୍ତ କରିବା ପାଇଁ ପୁଲିସ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି। ତେବେ ପ୍ରସନ୍ନ ଓ ପ୍ରଦ୍ୟୁମ୍ନ କିଭଳି ଓ କେତେଦିନ ହେବ ଏଭଳି ବାର୍ ଚଳାଉଥିଲେ। ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ଥିବା ‘ସାଉଥ୍‌ସିଟି’ ବାର୍ ବେଆଇନ ଭାବେ ଚାଲୁଥିଲା। ସେପ୍ଟେମ୍ବର ୩୧ ତାରିଖରୁ ଲାଇସେନ୍ସ ସରିଯାଇଥିଲା। ତଥାପି ବାର୍‌କୁ ପୁଲିସ ବିଭାଗର ବାହୁବଳି କନ୍‌ଷ୍ଟେବଳ ତଥା ଭୁବନେଶ୍ୱର ହାବିଲ୍‌ଦାର ଓ କନ୍‌ଷ୍ଟେବଳ ସଙ୍ଘ ସଭାପତି ପ୍ରସନ୍ନ ବେହେରା ଚଳାଇଆସୁଥିଲେ। ଏମିତିକି ରାତିତମାମ୍ ବାର୍ ଚାଲିବା ସହ ନାଚଗୀତର ଆସର ଜମୁଥିଲା। ୧୦୦ରୁ ଆରମ୍ଭ କରି ୨ହଜାର ଟଙ୍କିଆ ନୋଟ୍ ଡ୍ୟାନ୍ସରଙ୍କ ଉପରେ ଉଡୁଥିଲା। ଯାହା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟାର ବଡ଼ କାରଣ ବୋଲି ଜଣାପଡ଼ିଛି। ତେବେ କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗ ଏବଂ ବେଆଇନ ଭାବେ ବାର୍ ଚଳାଇ ଆସୁଥିବାରୁ କନ୍‌ଷ୍ଟେବଳ ପ୍ରସନ୍ନ ଓ ‘ସାଉଥ୍‌ସିଟି’ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କୁ ପୁଲିସ ଶୁକ୍ରବାର ରାତିରେ ଅଟକ ରଖିଥିଲା। ସେମାନଙ୍କୁ ଜେରା କରି ତଥ୍ୟ ସଂଗ୍ରହ ପରେ ବାର୍ ମ୍ୟାନେଜରଙ୍କୁ ପୁଲିସ ଉଠାଇ ଆଣିଥିଲା। ଏହାପରେ ଶନିବାର ସମସ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହୋଟେଲରେ ଚଢ଼ଉ ବେଳେ ଅଢ଼େଇଲକ୍ଷ ଟଙ୍କାର ନକଲି ନୋଟ୍ ମିଳିଛି। ଏତେ ପରିମାଣର ନୋଟ୍ କେଉଁଠି ଛପା ହୋଇଥିଲା, କିଏ ଏହାକୁ ଯୋଗାଇଥିଲା, ଏହି ନୋଟ୍ ବାର୍‌କୁ କେମିତି ଆସିଲା, ଏଭଳି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରିବା ଦରକାର ବୋଲି ସାଧାରଣଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷେ କନ୍‌ଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ନିଜ ଥାନାସୀମାରେ ରାତିତମାମ୍ ବାରୁ ଚାଲୁଥିବାବେଳେ ଥାନାଧିକାରୀ ଯାଞ୍ଚ କରିନଥିଲେ। ତେଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ପୁଲିସ କମିଶନର ଡିସିପି ଅଫିସକୁ ବଦଳି କରିଦେଇଛନ୍ତି।