ପଞ୍ଜାବ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦ ସମ୍ଭାଳିଲେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ଚଣ୍ଡୀଗଡ଼ କଂଗ୍ରେସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଦ୍ଧୁ ପଦଭାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି ଯେ, ମୁଁ ପିଲାଦିନୁ ସିଦ୍ଧୁଙ୍କୁ ଜାଣିଛି।

ପଦଭାର ଗ୍ରହଣ କରିବା ପରେ ସିଦ୍ଧୁ କହିଛନ୍ତି ଯେ, ଆଜିଠୁ ମୁଁ ପୁରା ପଞ୍ଜାବର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ମୁଖିଆ। ପଞ୍ଜାବର କୃଷକ ଦିଲ୍ଲୀରେ ବସିଛନ୍ତି। ଯେଉଁ କୃଷକଙ୍କ ବଳରେ ସରକାର ଗଠନ ହୋଇଥାଏ ଆଜି ସେମାନେ ଦିଲ୍ଲୀରେ ବସିଛନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଥିଲା। ପାଖାପାଖି ୪ ମାସ ପରେ ଆଜି ପ୍ରଥମଥର ପାଇଁ ଦୁହେଁ ପରସ୍ପରକୁ ଭେଟିଛନ୍ତି। ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ହେବାକୁ ନେଇ ଅମରିନ୍ଦର ବିରୋଧ କରୁଥିଲେ।