ପ୍ରମୋଦ ଭଗତଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଟୋକିଓରେ ଐତିହାସିକ ସ୍ୱର୍ଣ୍ଣପଦକ ଜିତିବା ପରେ ଓଡ଼ିଶାର ପାରା ଶଟଲର୍ ପ୍ରମୋଦ ଭଗତଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ପ୍ରମୋଦ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିବା ସହ ରାଜ୍ୟକୁ ଅନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ପ୍ରସିଦ୍ଧ କରାଇଛନ୍ତି। ଆଗାମୀ ଦିନରେ ପ୍ରମୋଦ ଆହୁରି ସଫଳତା ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରମୋଦ ପ୍ରଶଂସା କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ପୁରୁଷ ସୁଟିଂରେ ସ୍ୱର୍ଣ୍ଣପଦକ ଜିତିଥିବା ମନୀଷ ନରୱାଲ୍‌, ରୌପ୍ୟ ପଦକ ଜିତିଥିବା ଶିଙ୍ଗରାଜ ଅଦାନା ଏବଂ ବ୍ରୋଞ୍ଜ୍ ପଦକ ଜିତିଥିବା ଶଟଲର୍ ମନୋଜ ସରକାରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବଧେଇ ଜଣାଇଛନ୍ତି।