ରାଜ୍ୟରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଅଭାବୀ ବର୍ଷା ଜାରି ରହିଛି। କ୍ରମାଗତ ଭାବେ ମୌସୁମୀ ନୈରାଶ୍ୟଜନକ ରହିଥିବାବେଳେ ଏବେ ମଧ୍ୟ ରାଜ୍ୟରେ ନିଅଣ୍ଟ ବର୍ଷା ପରିମାଣ ସ୍ୱାଭାବିକଠାରୁ ୩୦% କମ୍ ରହିଛି। ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ୯୬୪.୭ ମିମି ସ୍ୱାଭାବିକ ବର୍ଷା ହେବାର ଥିଲା, ହେଲେ ଏବେସୁଦ୍ଧା ୬୭୭.୨ ମିମି ବର୍ଷା ରେକର୍ଡ ହୋଇଛି। ୨୪ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଥିବାବେଳେ ମାତ୍ର ୬ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି। ଏହା ରାଜ୍ୟବାସୀଙ୍କ ପାଇଁ ଅଡ଼ୁଆ ବଢ଼ାଇଥିବାବେଳେ ଏହି ସ୍ଥିତିରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି)। ଏବେ ବଙ୍ଗୋପସାଗରରୁ ବାୟୁମଣ୍ଡଳର ୪.୫ କିମି, ୨.୧ କିମି ଓ ୩.୬ କିମି ଉପରେ ୨ଟି ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ। ଘନିଭୂତ ହେବା ପରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଇଏମ୍‌ଡି ପ୍ରକାଶ କରିଛି। ଯାହା ରାଜ୍ୟରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଯାହା ଆସନ୍ତା ୬ ତାରିଖରେ ଲଘୁଚାପରେ ଘନିଭୂତ ହେବ। ଫଳରେ ୬ ଓ ୭ ତାରିଖ ଲଗାତାର ୨ ଦିନ ରାଜ୍ୟକୁ ପ୍ରବଳ ବର୍ଷା ହୋଇପାରେ। ସେହିପରି ୮ ତାରିଖରେ ବର୍ଷା ପରିମାଣ କମିବ ସତ ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ତେବେ ଗତ ୪ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିଛି। ଆସନ୍ତା ୮ ତାରିଖ ଯାଏ ବର୍ଷା ପରିମାଣ ବଢ଼ିବ। ଯାହା ଅଭାବୀ ବର୍ଷା ଭରଣା କରିବାରେ ସହାୟକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ତଥା ପାଣିପାଗ ବିଶେଷଜ୍ଞ ଏସ୍ ଆର୍ ବିଶ୍ୱାସଙ୍କ ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗର ଓ ଏହାର ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି। ତେବେ ବାୟୁମଣ୍ଡଳ ଉପରେ ଲମ୍ବିଥିବା ଘୂର୍ଣ୍ଣିବଳୟ ସକାଶେ ରାଜ୍ୟର ଏକାଧିକ ଜିଲ୍ଲାକୁ ଭାରି ସମ୍ଭାବନା ରହିଛି। ରବିବାର ରାଜ୍ୟର ୧୫ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ଥିବାବେଳେ ସେହି ମଧ୍ୟରୁ ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି।