ଭୁବନେଶ୍ୱର,ଏନ୍ଏନ୍ଏସ୍: ମେ’ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ରବିବାର ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଟିକେଟ୍ ଆବଣ୍ଟନକୁ ନେଇ କଳ୍ପନା ଜଳ୍ପନା ଭିତରେ ଦଳୀୟ ହାଇକମାଣ୍ଡ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛନ୍ତି। ଏଥିସହ ବିଜେପି ଉପନିର୍ବାଚନରେ ନୂଆମୁହଁଙ୍କୁ ସୁଯୋଗ ଦେବାନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହାର ଅନ୍ତ ଘଟିଛି।
ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ରାଧାରାଣୀ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ସେ ଖୁସି ଜାହିର୍ କରିବା ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅନ୍ୟ ବରିଷ୍ଠ ନେତୃବୃନ୍ଦ ଏବଂ ବ୍ରରାଜନଗରର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥର ଉପନିର୍ବାଚନରେ ଘନ ଘନ ବିଜୁଳିକାଟ୍, ବଳପୂର୍ବକ ବକେୟା ବିଦ୍ୟୁତ ବିଲ୍ ଆଦାୟ, ଜଳ ସମସ୍ୟା, ଶିଳ୍ପ କ୍ଷେତ୍ରରେ ହେରଫେର, ପ୍ରଦୂଷଣ, ବେରୋଜଗାରୀ ଓ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ଆଦି ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ପ୍ରକାଶ ଯେ ବ୍ରଜରାଜନଗର ଆସନରୁ ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ବରଗଡ଼ ସାଂସଦ ସୁରେଶ ପୂଜାରୀ ବାରମ୍ବାର ପ୍ରାର୍ଥୀହୋଇ ହାରିଆସୁଥିଲେ। ତେବେ ୨୦୧୪ରେ ରାଧାରାଣୀ ବିଜେପି ପ୍ରାର୍ଥୀ ହେବାପରେ ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ହରାଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ।
ତେବେ ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କ ଠାରୁ ୧୧,୬୩୪ ଖଣ୍ଡ ଭୋଟ୍ରେ ହାରିଯାଇଥିଲେ। ତଥାପି ତାଙ୍କର ଅଭିଜ୍ଞତା ଓ ସାଙ୍ଗଠନିକ ଦକ୍ଷତାକୁ ଆଖିରେ ରଖି ଦଳ ତାଙ୍କୁ ପୁଣିଥରେ ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ବିଜେପି ଟିକେଟ୍ ପାଇବାକୁ ଲକ୍ଷ୍ୟ ରଖିଥିବା ଏବଂ ବିଭିନ୍ନ ଫୋରମରେ ଲବି ଜୋରଦାର କରିଥିବା ଯୁବନେତା ସୁଜିତ୍ ସିଂଙ୍କୁ ନିରାଶ ହେବାକୁ ପଡ଼ିଛି। କଂଗ୍ରେସ ପକ୍ଷରୁ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ଏଯାଏ ନିଷ୍ପତ୍ତି ନେଇନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ସମସ୍ତେ ସମର୍ଥନ ଜଣାଇବା ସହ ଜିତାଇବାକୁ କସରତ କରିବେ ବୋଲି ଝାରସୁଗୁଡ଼ା ବିଜେଡି ପକ୍ଷରୁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ତେବେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ନା ଅନ୍ୟ କାହାକୁ ବିଜେଡି ପ୍ରାର୍ଥୀ କରୁଛି ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗିରହିଛି।