ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଙ୍ଗାଲୁରୁଠାରେ ଚାଲିଥିବା ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ୍ ଜାତୀୟ ଦିବ୍ୟାଙ୍ଗ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ ପୂର୍ବକ ସେମିଫାଇନାଲ୍ରେ ପ୍ରବେଶ କରିଛି। ଦଳ ତା’ର ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ମହରାଷ୍ଟ୍ରକୁ ୧୦୧ ରନ୍ରେ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୧୫ ଓଭର୍ରେ ୨ଟି ୱିକେଟ୍ ହରାଇ ୧୯୧ ରନ୍ କରିଥିଲା।
ଦଳ ପକ୍ଷରୁ ଦୁଇ ଓପନର ଝିଲ୍ଲୀ ବେରୁଆ ୩୬ ବଲ୍ରେ ୬୪ ଓ ପଦ୍ମିନୀ ଟୁଡୁ ୧୭ ବଲ୍ରେ ୪୨ ରନ୍ କରିଥିବା ବେଳେ ରଚନା ଜେନା ୨୩ ବଲ୍ରେ ୩୩ ଓ ଫୁଲ ସୋରେନ୍ ୧୬ ବଲ୍ରେ ୨୫ ରନ୍ର ସହଯୋଗ ଦେଇଥିଲେ। ଜବାବରେ ମହାରାଷ୍ଟ୍ର ୬ ୱିକେଟ୍ରେ ହରାଇ ୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ଯମୁନା ଟୁଡୁ ଗୋଟିଏ ୱିକେଟ୍ ନେଇଥିବା ବେଳେ ଝିଲୀ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେମିଫାଇନାଲ୍ରେ ଓଡ଼ିଶା ଶୁକ୍ରବାର ଦିଲ୍ଲୀକୁ ଭେଟିବ। ଏହାଛଡ଼ା ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ୍ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଖେଳାଯିବ।