ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷ ବେଳକୁ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଢାକା ପହଞ୍ଚିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟଶଙ୍କର ଢାକାରେ ପହଞ୍ଚିବା ପରେ ସେଠାରେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭେଟିବେ। ସେ ନିଜର ବାଂଲାଦେଶ ସମକକ୍ଷ ଏକେ ଅବଦୁଲ ମୋମେନଙ୍କ ସହିତ ଆଲୋଚନା କରିବେ।
ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ବାଂଲାଦେଶ ବିଦେଶମନ୍ତ୍ରୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଜୟଶଙ୍କର ଢାକା ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୨୬ ତାରିଖରେ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ବାଂଲାଦେଶର ୫୦ ତମ ସ୍ୱାଧୀନତା ଦିବସ ପାଳନ ହେବ। ଦୀର୍ଘ ୧ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବେ। ସେ ଶେଷ ଥର ପାଇଁ ୨୦୧୯ ନଭେମ୍ବରରେ ବ୍ରାଜିଲ ଗସ୍ତ କରିଥିଲେ। ତା’ପରେ କରୋନା ଭାଇରସ ମହାମାରୀ ଯୋଗୁଁ ଆଉ ବିଦେଶ ଗସ୍ତ କରିପାରି ନଥିଲେ। ମୋଦୀଙ୍କ ବିଦେଶ କାର୍ଯ୍ୟକ୍ରମ ଗୁଡ଼ିକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେଉଥିଲା।