ସୁରକ୍ଷା ବାହିନୀର ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ, ପୁଲିସ କର୍ମଚାରୀ ଆହତ

ଶ୍ରୀନଗର,ଏଜେନ୍ସି: ଜମୁ କଶ୍ମୀରର ଅନନ୍ତନାଗ ଓ ବାନ୍ଦିପୋରାରେ ପୁଣି ଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ହୋଇଛି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପଟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଚଳପ୍ରଚଳ ନେଇ ସୁରକ୍ଷା ବାହିନୀଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। କିନ୍ତୁ ସୁରକ୍ଷା ବାହିନୀଙ୍କୁ ଦେଖି ଆତଙ୍କବାଦୀମାନେ ବ୍ୟସ୍ତ ହୋଇପଡ଼ିଥିଲେ। ସେମାନେ ଗୁଳିମାଡ଼ କରିଥିଲେ। ଫଳରେ ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। କିନ୍ତୁ ଯବାନମାନେ ଏହି ଗୁଳିର କଡ଼ା ଜବାବ ଦେଇଥିଲେ। ଏଥିରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି। କଶ୍ମୀର ଜୋନ ପୁଲିସ କହିଛି ଯେ, ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି।

ସେହିପରି ବାନ୍ଦିପୋରାର ହାଜିନ ଅଞ୍ଚଳରେ ଗୁଣ୍ଡଜହାଗୀରରେ ମଧ୍ୟ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ସେନାର ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ପୁଲିସ ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା ରହିଛି। ମାତ୍ର ସର୍ଚ୍ଚ ଅପରେସନ ଶେଷ ହେବା ପରେ ଏହା ଜଣାପଡ଼ିବ।