ମୁମ୍ବାଇରେ ପ୍ରବଳ ବର୍ଷା: ୧୮ ଦିନ ବିପଦ ଥିବା ନେଇ ସତର୍କ ସୂଚନା ଜାରି

ମୁମ୍ବାଇ,ଏଜେନ୍ସି: ମୌସୁମୀର ପ୍ରଥମ ବର୍ଷାରେ ମୁମ୍ବାଇ ବେହାଲ। ପ୍ରବଳ ବର୍ଷା ପରେ ସଡ଼କଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି। ଏହାରି ମଧ୍ୟରେ ମୁମ୍ବାଇରେ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୪ ମାସ ଭିତରେ ମୁମ୍ବାଇରେ ୧୮ ଦିନ ଉଚ୍ଚ ଜୁଆର କାରଣରୁ ସମୁଦ୍ରର ଲହରୀ ପାଖାପାଖି ୫ ମିଟର ଉପରକୁ ଉଠିବ। ଏହି ସମୟରେ ବର୍ଷା ହେଲେ ମୁମ୍ବାଇବାସୀଙ୍କ ପାଇଁ ବିପଦ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି।

ସାଧାରଣତଃ ମୁମ୍ବାଇରେ ପ୍ରତିବର୍ଷ ଜୁନ ୧୦ ତାରିଖରେ ମୌସୁମୀର ଆଗମନ ହୋଇଥାଏ। ଏଥର ଗୋଟିଏ ଦିନ ପୂର୍ବରୁ ମୌସୁମୀ ଆସିଛି। ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଥିଲା। ମୁମ୍ବାଇ ସହ ଆଖପାଖ ସହରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ବହୁ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ସୃଷ୍ଟି ହୋଇଛି। ସେହିପରି ଗତକାଲି ଏକ ୪ ମହଲା କୋଠା ଭୁଶୁଡ଼ି ଯିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ହୋଇଥିଲେ।

ମୌସୁମୀର ୪ ମାସ ମଧ୍ୟରେ ମୁମ୍ବାଇବାସୀଙ୍କ ଲାଗି ୧୮ ଦିନ ବିପଦ ସଂକେତ ରହିଛି। ଏଥିରେ କେବଳ ଜୁନ୍ ମାସର ୬ ଦିନ ସାମିଲ ରହିଛି। ସେହିପରି ଜୁଲାଇରେ ୫ ଦିନ, ଅଗଷ୍ଟରେ ୫ ଦିନ ଓ ସେପ୍ଟେମ୍ବରରେ ୨ ଦିନ ବିପଦ ପରିସ୍ଥିତି ସୃଷ୍ଟି ହୋଇପାରେ। ଉଚ୍ଚ ଜୁଆର ସମୟରେ ବିଏମସି ପମ୍ପିଙ୍ଗ ଷ୍ଟେସନର ଫ୍ଲଡ ଗେଟ ବନ୍ଦ କରିଦେଇଥାଏ। ଏହି ସମୟରେ ବର୍ଷା ଅଧିକ ହେଲେ ମୁମ୍ବାଇର ସଡ଼କରେ ପାଣି ଭର୍ତ୍ତି ହୋଇଯାଇଥାଏ।