ପରଲୋକରେ ଭାରତର ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର, କ୍ରୀଡା ଜଗତରେ ଶୋକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ। ସେ ୮୮ ବର୍ଷ ବୟସରେ ଦୁନିଆରୁ ନେଇଛନ୍ତି ବିଦାୟ। ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ନନ୍ଦୁ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ। ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ। ତାଙ୍କ ମୃତ୍ୟୁ ପରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି। ନନ୍ଦୁ ନାଟେକର ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

ଏହା ବ୍ୟତୀତ ସେ ୬ ଥର ଜାତୀୟ ଚାମ୍ପିୟନସିପ ଟାଇଟଲ ଜିତିଥିଲେ। ୧୯୬୧ରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ। ଏହି ପୁରସ୍କାର ଗ୍ରହଣ କରିଥିବା ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ ନନ୍ଦୁ। ନନ୍ଦୁ ପ୍ରଥମ କ୍ରିକେଟର ହେବାକୁ ଚାହୁଁଥିଲେ। ଏଥିପାଇଁ ସେ କ୍ରିକେଟ୍ ମଧ୍ୟ ଖେଳିଥିଲେ। ପରେ ନନ୍ଦୁ ବ୍ୟାଡମିଣ୍ଟନ ପ୍ରତି ଧ୍ୟାନ ଦେଇଥିଲେ। ଏହା ପରେ ସେ ବ୍ୟାଡମିଣ୍ଟନରେ ଏକ ନୂତନ ସ୍ଥାନ ହାସଲ କରିଥିଲେ।

୧୯୫୩ ମସିହାରେ ୨୦ ବର୍ଷ ବୟସରେ ଭାରତ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ। ସେ ୧୯୫୪ ମସିହାରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ। ଏହା ପରେ ସେ ଆଉ ଏହି ପ୍ରତିଯୋଗିତାରେ ଭାଗ ନେଇନଥିଲେ।