ନାଲକୋର ୪୧ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚର୍ ହେବ ୩୦ହଜାର କୋଟି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ନିବେଶ ହେବ ୩୦ ହଜାର କୋଟି ଟଙ୍କା। ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ରାଶି ଖର୍ଚ୍ଚ ହୋଇ ଭିତ୍ତିଭୂମି ବିକାଶ ହେବ। ଗୁରୁବାର ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା କହିଛନ୍ତି।
ଏହି ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ଶ୍ରୀ ଯୋଶୀ କହିଛନ୍ତି ଯେ, ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟାଙ୍ଗୀ ବକ୍ସାଇଟ୍ ଖଣିର ବିକାଶ, ସାଉଥ ବ୍ଲକ ଓ ଉତ୍କଳ ଡି’ ଏବଂ ଇ’ କୋଇଲା ଖଣିରୁ କୋଇଲା ଉତ୍ତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ। ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ୍, କ୍ୟାପଟିଭ୍ ପାୱାର ପ୍ଲାଣ୍ଟର ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ କରାଯିବ। ଏହି ସଂପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଅନ୍ତର୍ଭୁକ୍ତ। ଏଥିରେ ୧୪୦୦ ମେଗାୱାଟ୍ ଶକ୍ତି ସଂପନ୍ନ କ୍ୟାପଟିଭ ପାୱାର ପ୍ଲାଣ୍ଟ୍ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା କରାଯିବ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଖଣିଜ ସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ। ଏହା ଫଳରେ ଖଣିଜ ପଦାର୍ଥର ଉତ୍ତୋଳନ ସୁଗମ ଓ ସୁନିଶ୍ଚିତ ହୋଇପାରିବ। ଆହୁରି ମଧ୍ୟ ଖଣିଗୁଡିକର ନିଲାମରେ ଉପରଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରି ନପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ ଏଥିରୁ ବାଦ ଦିଆଯିବ। ସେ କହିଛନ୍ତି ଯେ ଓଡ଼ିଶାରେ ସ୍ୱତନ୍ତ୍ରଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ। ଏମଏମଡିଆର ୨୦୧୫ ଆଇନରେ ସଂଶୋଧନ କରାଯାଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଖଣିଗୁଡିକର ଆବଣ୍ଟନ ପାଇଁ ନୂଆ ନିଲାମ ବ୍ୟବସ୍ଥା କରାଯାଇଥିଲା। ଏହି ନୂଆ ନୀତି ଓ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହେବା ବେଳକୁ ଦେଶର ୪୬ଟି ଖଣିର ଲିଜ୍‍ ମିଆଦ ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯାଇଥିଲା। ସେଥିମଧ୍ୟରେ ସର୍ବାଧିକ ଖଣି ଓଡ଼ିଶାରେ ରହିଛି। ତେଣୁ ଏହି ଖଣିଜ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ସଂଶୋଧିତ ଖଣି ଆଇନ ୨୦୨୦କୁ ଏକ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ। ଜାନୁୟାରୀ ୨୦୨୦ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଅନୁସାରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଥିବା ଖଣିଗୁଡିକର ନିଲାମ ପାଇଁ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
ଶ୍ରୀ ଜୋଶୀ କହିଛନ୍ତି ଯେ, ନାଲକୋ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଗୁଳଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରୁଛି। ଏହା ସ୍ମେଲଟର ପ୍ଲାଣ୍ଟଠାରୁ ଅଳ୍ପ ଦୂରରେ ଅବସ୍ଥିତ।  ନାଲକୋର  ଭବିଷ୍ୟତ ପାଇଁ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛି। ଉତ୍ପାଦନ ବୃଦ୍ଧି କରିବା ସହ ଉତ୍ତମମାନର ଆଲୁମିନା ଓ ଆଲୁମିନିୟମ ଯୋଗାଇ ନାଲ୍‍କୋ ଏ କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆଲୁମିନିୟମର ଉତ୍ପାଦନ ବୃଦ୍ଧି ସହିତ ଏହି ଗୁରୁତ୍ୱପୂର୍ଣ୍ଣ ଧାତୁର ବ୍ୟବହାରକୁ ବଢାଇବା ପାଇଁ ମଧ୍ୟ କଂପାନୀ ପ୍ରଯତ୍ନଶୀଳ। ଏହାଦ୍ୱାରା ପ୍ରଧାନମବୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।

ଭାରତ ସରକାରଙ୍କ ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲକୋ ଏସିଆର ସର୍ବବୃହତ୍‍ ସମନ୍ୱିତ ବକ୍ସାଇଟ-ଆଲୁମିନା-ଆଲୁମିନିୟମ-ବିଜୁଳି କମ୍ପେ୍ଲକ୍ସ। ଦେଶର ବକ୍ସାଇଟ ଉତ୍ପାଦନରେ ନାଲ୍‍କୋର ଅବଦାନ ୩୨ ପ୍ରତିଶତ। ସେହିଭଳି ଭାରତର ମୋଟ ଆଲୁମିନା ଉତ୍ପାଦନର ୩୩ ଭାଗ ଏବଂ ଆଲୁମିନିୟମ ଉତ୍ପାଦନର ୧୨ ପ୍ରତିଶତ ନାଲ୍‍କୋ ଦ୍ୱାରା ହୋଇଥାଏ। ସ୍ୱଳ୍ପ ମୂଲ୍ୟରେ ଆଲୁମିନା ଏବଂ ବକ୍ସାଇଟ୍ ଉତ୍ପାଦନ କ୍ଷେତ୍ରରେ ନାଲକୋ ବିଶ୍ୱର ୧ ନମ୍ବର କମ୍ପାନୀଭାବେ ମାନ୍ୟତା ପାଇଥିବା ବେଳେ ପୃଥିବୀର ୧୫ରୁ ଅଧିକ ଦେଶରେ ନାଲକୋର କାରବାର ରହିଛି।