ଭୁବନେଶ୍ୱର,ଏନ୍ଏନ୍ଏସ୍: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୁଷ୍ଟି ପ୍ରସଙ୍ଗ ଉଠାଇଥିଲେ । ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ମଧ୍ୟ ଶ୍ରୀ ମିଶ୍ର ଗୃହରେ ଦାବି କରିଥିଲେ । ଶାସକ ଦଳ ବିଧାୟକ ଅମର ଶତପଥୀ ଏହାର ଜବାବ ରଖିଥିଲେ । ପରେ ବିଧାନସଭା କମ୍ପିଥିଲା ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ନଗଡ଼ାଠାରୁ କଳିଙ୍ଗନଗରର ଅପପୁଷ୍ଟି ଚିତ୍ର ଆହୁରି କଦର୍ଯ୍ୟ । ଅପପୁଷ୍ଟି ଖାଲି କଳିଙ୍ଗନଗର ବା ନଗଡ଼ାରେ ନାହିଁ । ଓଡ଼ିଶାରେ ୧୯ ପ୍ରତିଶତ ଶିଶୁ କମ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ଶିଶୁ ପୃଷ୍ଟିହୀନତାର ଶିକାର ହୋଇଥିବାବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ସେହିପରି ୬୧. ୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି ।
ଏହାର ଜବାବ ଦେଇ ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ ଯେ, ବିରୋଧୀ ରାଜ୍ୟକୁ ବଦନାମ କରୁଛନ୍ତି । ନଗଡ଼ାର ସ୍ଥିତି ଏବେ ବଦଳି ଗଲାଣି । ସେବର ନଗଡ଼ା ଏବଂ ଏବର ନଗଡ଼ା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସେଠାରେ ସରକାର କ’ଣ ସବୁ କରିଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ କିପରି ଏହାକୁ ନୂଆ ରୂପ ଦେଇଛନ୍ତି ସେ ଦୃଶ୍ୟ ସେଠାକୁ ଯାଇ ବିରୋଧୀ ଦଳ ନେତା ଦେଖି ଆସନ୍ତୁ ।