ବୋଝ ଉପରେ ନଳିତା ବିଡ଼ା: କରୋନା ଉପରେ ‘ନିସର୍ଗ’ର ଦାଉ

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ମହାରାଷ୍ଟ୍ରରେ ମହାମାରୀ କରୋନା ତା’ର କାୟା ବିସ୍ତାର କରି ଚାଲିଥିବା ପ୍ରକୃତି ମଧ୍ୟ ଦାଉ ସାଧିବାକୁ ଯାଉଛି। ଗୋଟିଏ ପଟେ କରୋନାର ସର୍ବାଧିକ ମାମଲା ସହ ମୃତ୍ୟୁସଂଖ୍ୟା ରହିଥିବା ବେଳେ ଅନ୍ୟପଟେ ଇତିହାସରେ ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ବାତ୍ୟା ବିପଦ ଦେଖାଦେଇଛି। କରୋନା ଯୋଗୁ ସ୍ଥିତି ଅସମ୍ଭାଳ ଥିବାବେଳେ ବାତ୍ୟାର ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବାତ୍ୟା ନିସର୍ଗ ବୋଝ ଉପରେ ନଳିତ ବିଡ଼ା ପରି ମାଡ଼ି ଆସିଛି। ଏନେଇ ମହାରାଷ୍ଟ୍ର ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଅନ୍ୟପଟେ କେନ୍ଦ୍ର ସରକାର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବାପାଇଁ ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି। ମହାରାଷ୍ଟ୍ରରେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଶ୍ରମିକମାନେ ଚାଲି ଚାଲି ଘରମୁହାଁ ହେଉଥିବାବେଳେ ବାତ୍ୟା ସେମାନଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି।

ଆରବ ସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ବାତ୍ୟାରେ ପରିଣତ ହୋଇଛି। ସେଥିପାଇଁ ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଏହାର ବିପଦ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବୁଧବାର ନିସର୍ଗ ମହାରାଷ୍ଟ୍ରର ଅଲିବାଗ ନିକଟରେ ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ରହିଛି। ଏଥିଯୋଗୁ ସମୁଦ୍ରରେ ୨ ମିଟର ଜୁଆର ଉଠିବା ସହ ତଟୀୟ କ୍ଷେତ୍ରରେ ଜୋର ପବନ ବହିବ।

ପାଣିପାଗ ବିଭାଗର ସୂଚନା ମୁତାବକ, ଉତ୍ତରୀ ମହାରାଷ୍ଟ୍ର ଓ ଦକ୍ଷିଣୀ ଗୁଜରାଟ କ୍ଷେତ୍ରରେ ପାଖାପାଖି ୧୦୦ କିମି ଘଣ୍ଟା ବେଗରେ ପବନ ବହିବ। ସେଥିପାଇଁ ଉଭୟ ରାଜ୍ୟର ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଭାରତୀୟ ନୌସେନା, ଇଣ୍ଡିଆନ କୋଷ୍ଟ ଗାର୍ଡ ଓ ଏନଡିଆରଏଫ୍ ଟିମ ପ୍ରସ୍ତୁତ ରହିଛି। ଗତ କିଛି ଦିନ ତଳେ ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା।

ବର୍ତ୍ତମାନ ଦେଶରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ବାତ୍ୟାର ବିପତ୍ତି ମାଡ଼ି ଆସୁଛି। ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।