କ୍ରମାଗତ ୧୨ ବର୍ଷରେ ମୁକେଶ ଅମ୍ବାନୀ ସବୁଠୁ ବଡ଼ ଧନୀ

ଫୋର୍ବସ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ ୨୦୧୯

ନୂଆଦିଲ୍ଲୀ: ଫୋର୍ବସ୍ ଇଣ୍ଡିଆ ପକ୍ଷରୁ ଭାରତର ସବୁଠୁ ଅଧିକ ଧନୀ ଲୋକମାନଙ୍କର ନୂତନ ତାଲିକା ଜାରି କରାଯାଇଛି। ଏଥିରେ ଭାରତର ଶୀର୍ଷ ୧୦୦ ସବୁଠୁ ଧନୀ ଲୋକଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ରିଲାଏନ୍ସ ଜିଓର ସଂସ୍ଥାପକ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ମାଲିକ ମୁକେଶ ଅମ୍ବାନୀ ପୁଣିଥରେ ଶୀର୍ଷ ସ୍ଥାନରେ ରହିଛନ୍ତି।

କ୍ରମାଗତ ୧୧ ବର୍ଷ ଧରି ସେ ଫୋର୍ବସ୍ ଇଣ୍ଡିଆର ୧୦୦ଜଣ ଧନୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ତାଙ୍କ ସମ୍ପତ୍ତିରେ ପ୍ରାୟ ୨୮.୪ କୋଟି ଟଙ୍କା ବୃଦ୍ଧି ହୋଇଛି। ଏହି ବୃଦ୍ଧି ପରେ ମୁକେଶଙ୍କ ମୋଟ ସମ୍ପତ୍ତି ୩.୬୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଗୌତମ ଆଦାନୀ ଗତବର୍ଷ ଅପେକ୍ଷା ଚଳିତବର୍ଷ ୮ଟି ସ୍ଥାନ ଅତିକ୍ରମ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହା ବ୍ୟତୀତ ଉଦୟ କୋଟାକ୍ ପ୍ରଥମକରି ଶୀର୍ଷ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ତୃତୀୟ ସ୍ଥାନରେ ହିନ୍ଦୁଜା ବ୍ରଦର୍ସ ରହିଥିବାବେଳେ ଚତୁର୍ଥ ସ୍ଥାନରେ ପାଲୋନ୍ଜୀ ମିସ୍ତ୍ରୀ ଏବଂ ପଞ୍ଚମ ସ୍ଥାନରେ ଉଦୟ କୋଟାକ୍ ରହିଛନ୍ତି। ଏଥିସହିତ ଷଷ୍ଠ ସ୍ଥାନରେ ଶିବ ନାଦର, ସପ୍ତମରେ ରାଧାକୀଷନ୍ ଦମାନି, ଅଷ୍ଟମ ସ୍ଥାନରେ ଗୋଦରେଜ୍ ଫ୍ୟାମିଲି, ନବମରେ ଲକ୍ଷ୍ମୀ ମିତ୍ତଲ ଏବଂ ଦଶମ ସ୍ଥାନରେ କୁମାର ମଙ୍ଗଳମ୍ ବିର୍ଲା ରହିଛନ୍ତି।

ଷ୍ଟିଲ୍ ନିର୍ମାଣକାରୀ କମ୍ପାନୀ ଆର୍ସେଲର୍ ମିତ୍ତଲର ମାଲିକ ଲକ୍ଷ୍ମୀ ମିତ୍ତଲ ଗତବର୍ଷ ତୃତୀୟ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ୯ମ ସ୍ଥାନକୁ ଖସିଆସିଛନ୍ତି। ଷ୍ଟିଲ୍ ର ଚାହିଦା ଏବଂ ମୂଲ୍ୟରେ ହ୍ରାସ ହେବାରୁ ଏପରି ହୋଇଛି ବୋଲି ଫୋର୍ବସ୍ ଇଣ୍ଡିଆ ତରଫରୁ ସୂଚିତ କରାଯାଇଛି। ଚଳିତଥର ଏହି ତାଲିକାରେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଜୀମ୍ ପ୍ରେମଜୀ ସ୍ଥାନ ପାଇପାରିନାହାନ୍ତି।