ନୂଆଦିଲ୍ଲୀ: ଟି-ଟ୍ୱୋଣ୍ଟି ୱାର୍ଲ୍ଡକପ କ୍ରିକେଟରେ ଭାରତ ପାକିସ୍ତାନଠାରୁ ହାରିବା ପରେ ଉତ୍ସବ ପାଳିଥିବା ଆଗ୍ରାର ୩ଜଣ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ପରେ ଉତ୍ତରପ୍ରଦେଶ ପୁଲିସ ମଧ୍ୟ ୩ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରିଥିଲା। ଆଉ ଏବେ ପୀଡୀପୀ ଅଧ୍ୟକ୍ଷ ମେହେବୁବା ମୁଫତୀ ଏନେଇ ମୋଦୀଙ୍କୁ ଚିଠି ଲେଖିଥିବା ନେଇ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ମୁଫତୀ ଏହି ପତ୍ରକୁ ଟ୍ୱିଟରରେ ସେୟାର କରି ମୋଦୀଙ୍କୁ ଟ୍ୟାଗ କରିଛନ୍ତି। ଆଶା କରୁଛି ମୋଦୀ ଉକ୍ତ ମାମଲାରେ ହସ୍ତକ୍ଷେପ କରିବେ ଯଦ୍ୱାରା ଛାତ୍ରମାନେ ଯଥାଶୀଘ୍ର ମୁକୁଳିପାରିବେ ବୋଲି ମୁଫତୀ କହିଛନ୍ତି।
ମେହେବୁବା ମୁଫତୀ କହିଛନ୍ତି ଯେ, ଖେଳ- ଖେଳ ହୋଇଥାଏ କିନ୍ତୁ ଆଗ୍ରା ଓ କଶ୍ମୀରରେ ଯାହା ହେଲା ତାହା ଭୁଲ୍ ଥିଲା। ସେଥିରୁ ସ୍ଥିତି ବିଗିଡ଼ିବ। କିଏ କେଉଁ ଖେଳାଳିଙ୍କୁ ପସନ୍ଦ କରିବ ସେନେଇ ଆପଣ ତା’ ଉପରେ ଚାପ ପକାଇ ପାରିବେ ନାହିଁ। ଲାଠି ଦ୍ୱାରା ଦେଶ ଚାଲିନଥାଏ ବରଂ ଏହାଦ୍ୱାରା ଯୁବପୀଢ଼ୀ ଆହୁରି ଦୂରେଇଯିବେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶଭକ୍ତି ଭାବନାକୁ ବଢ଼ାଇ ପାରିବେ ନାହିଁ।