ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡର ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍ । ନେହୁରୁ ପର୍ବତାରୋହଣ ଅନୁଷ୍ଠାନର ଏକ ୨୮ ଜଣ ଟିମ୍ ଡାଣ୍ଡା-୨ ପର୍ବତ ଆରୋହଣ ପାଇଁ ପହଞ୍ଚିଥିଲେ । ତେବେ ଅଚାନକ ହିମସ୍ଖଳନ ଯୋଗୁଁ ସେଠାରେ ପୂରା ଟିମ୍ ଫସି ରହିଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି । ଟିମରେ ସମୁଦାୟ ୧୭୦ ଜଣ ପ୍ରଶିକ୍ଷାର୍ଥୀ ସାମିଲ ଥିଲେ ।
ମଙ୍ଗଳବାର ସକାଳ ୯ଟା ବେଳେ ଡାଣ୍ଡା-୨ ପର୍ବତରେ ପ୍ରଚଣ୍ଡ ହିମସ୍ଖଳନ ହୋଇଥିଲା । ଫଳରେ ସେଠାରେ ଫସିଯାଇଥିଲେ ପର୍ବତାରୋହୀ ଦଳ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଧାମୀ କହିଥିଲେ, “ନେହୁରୁ ପର୍ବତାରୋହଣ ଅନୁଷ୍ଠାନର କିଛି ଟ୍ରେନି ହିମସ୍ଖଳନ ଯୋଗୁଁ ଡାଣ୍ଡା-୨ ପର୍ବତରେ ଫଶି ରହିଥିଲେ । ଖବର ମିଳିବା ପରେ ତୁରନ୍ତ ସେମାନଙ୍କ ନିକଟକୁ ଆବଶ୍ୟକ ରିଲିଫ ଯୋଗାଇ ଦିଆଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ରକିଛନ୍ତି । ଆର୍ମୀ ଓ ଆଇଟିବିପି ଯବାନ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି ।”
ଡାଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ସାମିଲ ରହିଛନ୍ତି । ତା ସହିତ ଅଧିକ ସହାୟତା ପାଇଁ ବାୟୁସେନାର ଅନ୍ୟ ଚପର୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଡାଣ୍ଡା-୨ ପର୍ବତରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୮ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏବେ ବି ସେଠାରେ ଆହୁରି ୨୧ ଜଣ ଫସି ରହିଛନ୍ତି । ଅଚାନକ ହିମସ୍ଖଳନ ଯୋଗୁଁ ଏହି ସମସ୍ତ ପର୍ବତାରୋହୀ ଫସି ରହିଛନ୍ତି ।ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ମୁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛି । ବର୍ତ୍ତମାନ ଫସି ରହିଥିବା ପର୍ବତାରୋହୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାୟୁସେନାକୁ ଉଦ୍ଧାରାକାର୍ଯ୍ୟରେ ସାମିଲ ହେବା ସହ ରିଲିଫ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି । ପ୍ରତ୍ୟେକଙ୍କ ସୁରକ୍ଷା କାମନା କରୁଛି ।”