ମୋଟେରା ଷ୍ଟାଡିୟମ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’ ନାମରେ ନାମିତ

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଆଜି ମୋଟେରା ଷ୍ଟାଡିୟମରେ ଖେଳାଯିବ। ଦୁନିଆର ସର୍ବବୃହତ ଷ୍ଟାଡିୟମର ଉଦଘାଟନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଛନ୍ତି। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୋଟେରା ଷ୍ଟାଡିିୟମର ନାମ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’ ହେବ ବୋଲି ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମରେ ପାଖାପାଖି ୧ଲକ୍ଷ ୧୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ଏହି ସମାରୋହରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଖେଳମନ୍ତ୍ରୀ କିରେନ ରିଜିଜୁ ଓ ବିସିସିଆଇ ସଚିବ ଜୟ ଶାହ ଉପସ୍ଥିତ ଥିଲେ।

ଅମିତ ଶାହ କହିଛନ୍ତି ଯେ, ‘ଆଜି ଭାରତର ଖେଳ ଜଗତର ସ୍ୱର୍ଣ୍ଣିମ ଦିନ। ଦୁନିଆର ସବୁଠୁ ବଡ଼ କ୍ରିକେଟ ଷ୍ଟାଡୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରି ଦେଇଛନ୍ତି। ଏଠାରେ ଏମିତି ସୁବିଧା କରାଯାଇଛି କି ୬ ମାସରେ ଅଲମ୍ପିକ, ଏସିଆଡ ଓ କମନୱେଲଥ ଭଳି ଖେଳର ଆୟୋଜନ କରାଯାଇପାରିବ। ଅହମ୍ମଦାବାଦ ଏବେ ସ୍ପୋର୍ଟସ୍ ର୍ସିଟି ଭାବେ ଜଣାଯିବ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ଏହି ସ୍ୱପ୍ନ ଦେଖିଥିଲେ ଯାହାକି ଆଜି ପୂରଣ ହୋଇଛି।’

ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦୀ ଷ୍ଟାଡିୟମ ୬୩ ଏକର ଜମିରେ ନିର୍ମାଣ ହୋଇଛି। ଷ୍ଟାଡିୟମରେ ୪ଟି ଡ୍ରେସିଂ ରୁମ୍ ଓ ୩ଟି ପ୍ରାକ୍ଟିସ ଗ୍ରାଉଣ୍ଡ ରହିଛି। ଏଠାରେ ଉଭୟ ଇନଡୋର ଓ ଆଉଟଡୋର ଅଭ୍ୟାସ ସୁବିଧା ରହିଛି। ଏଠାକାର ଡ୍ରେନେଜ ସିଷ୍ଟମ ଏତେ ଆଧୁନୀକରଣ ହୋଇଛି କି ବର୍ଷା ବନ୍ଦ ହେବାର ଅଧ ଘଣ୍ଟାଏ ପରେ ହିଁ ମ୍ୟାଚ୍ ଖେଳାଯାଇ ପାରିବ। ଦେଶର ଏମିତି ପ୍ରଥମ ଷ୍ଟାଡିୟମ ଯେଉଁଠି ଏଲଇଡି ଲାଇଟ ମଧ୍ୟ ଲଗାଯାଇଛି।