ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ। ଉକ୍ତ ୟେସ୍ ବ୍ୟାଙ୍କରେ ୮ ପ୍ରତିଶତ ସୁଧରୁ ମାତ୍ର ଥିବା ବେଳେ ୨.୧୧ ପ୍ରତିଶତ ସୁଧ ହାରରେ ପଇସା ଫେରସ୍ତ ହୋଇଛି। ତେବେ ରେଗୁଲାର ବ୍ୟାଙ୍କ ଠାରୁ କମ୍ ସୁଦ୍ଧରେ କାହା ସ୍ୱାର୍ଥରେ ଏହି ଟଙ୍କା ସହ ଖେଳ ହୋଇଛି ତାହା ବିଜେପି ପ୍ରଶ୍ନ କରିଛି। କାହିଁକି ଏତେ କମ୍ ସୁଧ ମିଳିଲା? ବାକି ସୁଧ କୁଆଡେ ଗଲା?
ସାଢେ ୪ କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଅର୍ଥକୁ ଯେଉଁ ସରକାରୀ ଅଧିକାରୀମାନେ ଅଧିକ ସୁଧ ଦେଖାଇ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ଠାରୁ ବାକି ସୁଧ ଅର୍ଥ ଆଦାୟ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି। ଶ୍ରୀ ନାଏକ କହିଛନ୍ତି ଯେ, ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ରଖାଯାଉଥିଲା। ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ଏହା ସହ ଯେଉଁ ସରକାରୀ ଅଧିକାରୀମାନେ ମନ୍ଦିର ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ବିରୋଧରେ ତୁରନ୍ତ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଏହି କ୍ଷତି କାହିଁକି ହେଲା ତାହାର ସମୀକ୍ଷା କରନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।
ୟେସ ବ୍ୟାଙ୍କ ସ୍ଥିତି ଖରାପ ହେବା ଏବଂ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ସତ୍ତେ୍ୱ ଜଗନ୍ନାଥଙ୍କ ଜମା ଅର୍ଥ ଫେରି ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୃଢ଼ ପ୍ରତିଶୃତି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରୁ ଫେରି ଆସିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।