ସାଇବର ଠକଠାରୁ ଫେରିଲା ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ସାଇବର ଠକ ମାତିଛନ୍ତି। ଏହି ମଧ୍ୟରେ କେୱାଇସି ଅପଡେଟ କରିଦେବା କହି ୫ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଲୁଟେରା। ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକ ରବି ନାରାୟଣ ମିଶ୍ର ସାଇବର ଲୁଟେରାଙ୍କ କବଳରେ ପଡ଼ିଯାଇଥିଲେ।

ଗତ ୧୬ ତାରିଖରେ ଏକ ଅଜଣା ନମ୍ବରରୁ ରବି ନାରାୟଣଙ୍କୁ ଫୋନ୍ ଆସିଥିଲା। କେୱାଇସି ଅପଡେଟ ନ କଲେ ମୋବାଇଲ ସିମ୍ ବନ୍ଦ ହୋଇଯିବ କହି ପ୍ରଥମେ ଏକ ଆପ୍ ଡାଉନଲୋଡ କରିବାକୁ କହିଥିଲେ ଠକ। ଏହା ପରେ ଲୁଟେରା ଜଣଙ୍କ ତାଙ୍କର ଜି-ମେଲ ଓ ଅନ୍ୟ ତଥ୍ୟ ନେଇ ୧୦ ଟଙ୍କା ରାଚାର୍ଜ କରିବାକୁ କହିଥିଲେ। ରବି ନାରାୟଣ ରିଚାର୍ଜ କରିବା ପରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା କଟିଯାଇଥିଲା। ତୁରନ୍ତ ରବି ନାରାୟଣ ଏ ସମ୍ପର୍କରେ ସାଇବର ସେଲକୁ ଜଣାଇଥିଲେ। ପରେ ସାଇବର ସେଲ ଠକ ବ୍ୟବହାର କରିଥିବା ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ତେବେ ଲୁଟ ଟଙ୍କାରୁ ବର୍ତ୍ତମାନ ୪ ଲକ୍ଷ ୯୨ ହଜାର ଟଙ୍କା ଫେରିପାଇଛନ୍ତି ରବି ନାରାୟଣ।