ଗୁଜରାଟରେ ମୋଦୀଙ୍କ ବିଶାଳ ରୋଡ ଶୋ’

ଗୁଜରାଟ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶେଷ ହୋଇଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ରୋଡ ଶୋ’ କରିଛନ୍ତି । ୫୪ କିମି ଲମ୍ବ ଏହି ଶୋ’ ୧୪ ବିଧାନସଭା ଦେଇ ଗତି କରିବ । ଏହା ହେଉଛି ମୋଦୀଙ୍କ ସବୁଠୁ ବଡ଼ ନିର୍ବାଚନୀ ରୋଡ ଶୋ’ । ଏହାକୁ ‘ପୁଷ୍ପାଞ୍ଜଳି ଯାତ୍ରା’ ନାମ ଦିଆଯାଇଛି । ଏହି ରୋଡ ଶୋ’ରେ ମୋଦୀ ଅହମ୍ମଦାବଦରେ ୧୩ ଓ ଗାନ୍ଧୀନଗରରେ ଗୋଟିଏ ସିଟ୍ କଭର କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ରୋଡ ଶୋ’ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ରୋଡ ଶୋ’ ସମୟରେ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ମୋଦୀ ତାଙ୍କ ଗାଡ଼ି ମଧ୍ୟ ଅଟକାଇଥିଲେ । ଗୁଜରାଟ ବିଧାନସଭା ପାଇଁ ମୋଦୀ ନଭେମ୍ବର ୬ରୁ ପ୍ରଚାର ଆରମ୍ଭ କରିଥିଲେ ।