ମୋଦୀଙ୍କ ଜନ୍ମ ସପ୍ତାହ ପାଇଁ ବ୍ୟାପକ ପ୍ରସ୍ତୁତି, ୧୪ରୁ ୨୦ ବିଜେପି ପାଳିବ ସେବା ସପ୍ତାହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୭ ତାରିଖ ଦିନ ୭୦ ତମ ଜନ୍ମଦିବସ ପଡ଼ୁଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯିବାକୁ ଥିବା ବେଳେ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟ କରି ପ୍ରଧାନମନ୍ତ୍ରୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରିବେ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସୂଚନା ଅନୁଯାୟୀ ସେବା ସପ୍ତାହର ପ୍ରଥମ ଦିନ ଆସନ୍ତା ୧୪ ତାରିଖରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ବୁଥରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ସଙ୍କଳ୍ପ ନେବେ। ଦ୍ଵିତୀୟ ଦିନ ୧୫ ତାରିଖରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୭୦ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ଉପକରଣ ଏବଂ ୭୦ ଜଣ ଗରିବ ଭାଇଭଉଣୀଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ପ୍ରଦାନ କରାଯିବ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ୱ ସମ୍ବନ୍ଧିତ ୭୦ଟି ଭିନ୍ନ ଭିନ୍ନ ଭିଡିଓ / ଫଟୋଚିତ୍ର ପ୍ରଦର୍ଶନୀ ସୋସିଆଲ ମିଡିଆ ମାଧ୍ୟମରେ ଅନୁଷ୍ଠିତ ହେବ। ତୃତୀୟ ଦିନ ଅର୍ଥାତ ୧୬ ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳର ୨ଟି ଗରିବ ବସ୍ତି ଓ ଡାକ୍ତରଖାନାରେ ଫଳ ବିତରଣ କରାଯିବ। ଚତୁର୍ଥ ଦିନ ୧୭ ତାରିଖରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ରକ୍ତଦାନ କରାଯିବ। ଏଥିସହ ସ୍ଥାନୀୟ ଆବଶ୍ୟକତା ଓ ଡାକ୍ତରଖାନା ମାଧ୍ୟମରେ ୭୦ ଜଣଙ୍କୁ ପ୍ଲାଜମା ଦାନ କରାଯିବ। ୧୮ ଓ ୧୯ ତାରିଖରେ ମୋଦୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇ ୱେବିନାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ୨ଟି ସ୍ଥାନରେ ଭର୍ଚୁଆଲ ମିଟିଂର ଆୟୋଜନ କରାଯିବାକୁ ଥିବାବେଳେ ଏଥିରେ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ସାମିଲ ହେବେ।

ଶେଷ ଦିନ ଅର୍ଥାତ ୨୦ ତାରିଖ ଦିନ ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମରେ ସ୍ୱଚ୍ଛତା ଅଭିଯାନ କରାଯିବା ସହ ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ବର୍ଜନ ପାଇଁ କାର୍ଯ୍ୟକର୍ତ୍ତାମାନେ ସଙ୍କଳ୍ପ ନେବେ। ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ଦଳର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ କୋଭିଡ୍-୧୯ ନୀତିନିୟମକୁ ମାନି ଭାଗ ନେବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି।