ବ୍ରହ୍ମପୁରରେ ସାଢ଼େ ୨୭ କୋଟିର ରେଳ ଓଭରବ୍ରିଜ୍ ଉଦଘାଟିତ, ଜିନିଂ ମିଲର ଭିତ୍ତିପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରହ୍ମପୁର ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଇଞ୍ଜିନିୟରିଂ ସ୍କୁଲ ଛକ-ଲାଞ୍ଜିପଲ୍ଲୀ ରେଳ ଓଭରବ୍ରିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ସେହିପରି ଦିଗପହଣ୍ଡି ଆରଏମସି ପରିସରରେ ନିର୍ମାଣ ହେବାକୁ ଥିବା କପା ପ୍ରକ୍ରିୟାକରଣ କଳର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସୁଇଚ୍ ଚିପି ୨ଟି ଯାକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କୋଭିଡ୍-୧୯ ସଂକ୍ରମଣ ମୁକାବିଲାରେ ଗଞ୍ଜାମର ଜନସାଧାରଣଙ୍କ ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାସହ ଡାକ୍ତର, ପାରାମେଡିକଙ୍କ ଉତ୍ସର୍ଗୀକୃତ ସେବା ଓ ଜିଲ୍ଲା ପ୍ରଶାସନର କଠିନ ପରିଶ୍ରମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଏବଂ କମର୍ସିଆଲ୍ ହବରେ ବ୍ରହ୍ମପୁର ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍ ପାଇବାକୁ ଏହା ଯୋଗ୍ୟ। ଏକ ଆଧୁନିକ ସହର ଭାବେ ବ୍ରହ୍ମପୁରକୁ ପରିବର୍ତ୍ତନ କରିବା ପାଇଁ ଅନେକଗୁଡ଼ିକ ପଦକ୍ଷେପ ନିଆଯାଉଛି।

ଇଞ୍ଜିନିୟରିଂ ସ୍କୁଲ ଛକ-ଲାଞ୍ଜିପଲ୍ଲୀ ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ୨୦୧୫ରେ ୨୭କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ମୋଟ୍ ୪୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ବ୍ୟୟବହୁଳ ରେଳ ଓଭରବ୍ରିଜ୍ ଜିଲାବାସୀଙ୍କ ଆଶା ଆକାଂକ୍ଷାକୁ ପୂରା କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଦିଗପହଣ୍ଡିର କପା ପ୍ରକ୍ରିୟାକରଣ କଳ ୧୦୦ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କୁ ନିଯୁକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କୋଭିଡ୍ ସ୍ଥିତିରେ ଗଞ୍ଜାମ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। କିନ୍ତୁ ଏପର୍ଯ୍ୟନ୍ତ ବିପଦ ଟଳିନି। ତେଣୁ ସମସ୍ତେ ସତର୍କ ରହିବା ସହ କୋଭିଡ୍ ଗାଇଡଲାଇନକୁ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମହାମାରୀ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଠାରେ ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଢେଙ୍କାନାଳରୁ ଭିଡିଓ କନଫେରେନ୍ସିଂ ଜରିଆରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭୁବନେଶ୍ୱରରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଡ଼ି ହୋଇଥିଲେ। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସ୍ୱାଗତ ଭାଷଣ ଦେଇଥିଲେ।