ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଦିନକୁ ଦିନ କୋରୋନା ଭୟ ବୃଦ୍ଧି ପାଉଥିବା ବେଳେ ଏହା ରାଜ୍ୟର ତଥା ଦେଶର ଅନେକ ପ୍ରଗତି ପଥରେ କଣ୍ଟା ସାଜିଛି। ଏଥିରେ ଅନେକ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡ଼ୁଥିବା ବେଳେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଇଛି। ଏ ନେଇ ଭାରତର ପ୍ରତି ରାଜ୍ୟରେ କୋରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। ଏପରିକି ଲୋକମାନଙ୍କୁ କୋରୋନା ପାଇଁ ଆତଙ୍କିତ ନହେବାକୁ ପରାମର୍ଶ ଦେବା ସହ ସ୍ୱଚ୍ଛ ରହିବାକୁ କୁହାଯାଉଛି। ବିଶେଷକରି କରମର୍ଦ୍ଦନ, ଆଲିଙ୍ଗନ ଏବଂ ସଭା ସମିତିରୁ ଦୂରେଇ ରହିବାକୁ ଆଡଭାଇଜରୀ ଜାରି କରାଯାଇଛି। ସେପଟେ ଭାରତରେ ୩୦ଟି କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି।
କୋରୋନା ସଂକଟ ବିଭିନ୍ନ ଦେଶରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥର ହୋଲି ପାଳନ କରିବେନି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଲଜିୟମ ଗସ୍ତ ମଧ୍ୟ ବାତିଲ କରାଯାଇଥିବା ସୂଚନା ମିଳିଛି ।
ବେଲଜିୟମରେ କୋରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇଛି । ଭାରତ-ୟୁରିପିଅନ ୟୁନିୟନ ସମ୍ମିଳନୀରେ ସାମିଲ ହେବାକୁ ବେଲଜିୟମର ରାଜଧାନୀ ବ୍ରସେଲ୍ସ ଯିବାର ମୋଦିଙ୍କ କାର୍ୟ୍ୟକ୍ରମ ଥିଲା । ତେବେ ମାର୍ଚ୍ଚ ୧୩ ରେ ହେବାକୁ ଥିବା ଏହି ସମ୍ମିଳନୀ ଏବେ ବାତିଲ ହେବା ଯୋଗୁଁ ପରବର୍ତ୍ତୀ ତାରିଖ ଧାର୍ୟ୍ୟ କରାଯାଇନାହିଁ ।
ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଲଜିୟମ ଗସ୍ତ ପୁନଃ ନିର୍ଦ୍ଧାରିତ କରାଯାଇଛି । ତେବେ ବଂଲାଦେଶ ଗସ୍ତ କରିପାରନ୍ତି ମୋଦି । ଏନେଇ କୌଣସି ସ୍ପଷ୍ଟ ସୂଚନ ମିଳିପାରିନି ।