ଲୋକପ୍ରିୟ ନେତାଙ୍କ ମଧ୍ୟରେ ମୋଦୀ ତୃତୀୟ

ଟ୍ୱିଟରରେ ମୋଦିଙ୍କ ୫ କୋଟିରୁ ଅଧିକ ଫଲୋଅର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ମୋଦୀ ବହୁ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସୋମବାର ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ ମିଲିୟନ ତଥା ୫କୋଟି ଛୁଇଁଛି।

ଟ୍ୱିଟରରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ତାଲିକାରେ ମୋଦି ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନଙ୍କ ଫଲୋଅର୍ସ ସଂଖ୍ୟା ଯଥାକ୍ରମେ ୧୦.୮ କୋଟି ଓ ୬.୪ କୋଟି ରହିଛି। ଅନ୍ୟପକ୍ଷରେ ଭାରତୀୟ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ସର୍ବାଧିକ ଲୋକପ୍ରିୟ ନେତା।

ଏହି ତାଲିକାରେ ମୋଦିଙ୍କ ତଳକୁ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ (୧.୫୪ କୋଟି), ଅମିତ୍ ଶାହା(୧.୫୨ କୋଟି), ରାଜନାଥ ସିଂହ (୧.୪୧ କୋଟି) ଏବଂ ରାହୁଲ ଗାନ୍ଧୀ (୧.୦୬ କୋଟି)। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଫଲୋଅର୍ସ ୫ କୋଟି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟା ହେଉଛି ୩କୋଟି। ଯଦି ଏହି ଦୁଇ ସଂଖ୍ୟାକୁ ମିଶାଯାଏ ତେବେ ମୋଦି ଟପ୍ ୨୦ଲିଷ୍ଟରେ ସାମିଲ ହୋଇଯିବେ। ଉକ୍ତ ଲିଷ୍ଟରେ ବାରାକ୍ ଓବାମା, କେଟି ପୈରୀ ଜଷ୍ଟିନ୍ ବିବର ଆଦି ଲୋକପ୍ରିୟ ବ୍ୟକ୍ତି ରହିଛନ୍ତି।