ବେଙ୍ଗାଲୁରୁ,ଏଜେନ୍ସି: କୋରିଅର ସପ୍ରେ ଭୟଙ୍କର ବିସ୍ଫୋରଣ । କର୍ଣ୍ଣାଟକର ହାସନର ଏକ କୋରିଅର ସପ୍ରେ ଗ୍ରାଇଣ୍ଡର ବିସ୍ଫୋରଣ ହେବାରୁ ଜଣେ ଆହତ ହୋଇଥିବା ସୂଚନା ମିଳିଛି । କୋରିଅରରେ ଆସିଥିବା ଗ୍ରାଇଣ୍ଡରକୁ ଫେରସ୍ତ ନେବା ସମୟରେ ବିସ୍ଫୋରଣ ହୋଇଛି ।
କେଆରପୁରମ ନଗରର ଡିଟିଡିସି କୋରିଅର ଅଫିସରେ ଗତକାଲି (ସୋମବାର)ସନ୍ଧ୍ୟା ୭ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କୋରିଅର ଅଫିସର ମାଲିକ ଶଶିଙ୍କ ଡାହାଣ ହାତରେ ଆଘାତ ଲାଗିବାରୁ ପାଞ୍ଚଟି ଆଙ୍ଗୁଠି ଗଭୀର ଆଘାତ ଲାଗିଛି । ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏନେଇ ହାସନ ଏସ୍ପି ହରିରାମ ଶଙ୍କର କହିଛନ୍ତି, “ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ବୃଦ୍ଧି ହେବ ନାହିଁ । ସପ୍ର ମାଲିକ ଆହତ ହୋଇଥିବା ବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାଇଣ୍ଡରର ବ୍ଲେଡ ଲାଗିଯିବାରୁ ତାଙ୍କ ହାତର ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି । ଏହି ଘଟଣାକୁ ନେଇ ଆମେ ଗୁରୁତର ସହ ଯାଞ୍ଚ କରୁଛୁ । ଏଫ୍ଏସ୍ଏଲ୍ ଦ୍ବାରା ଜାରି କରାଯାଇଥିବା ବୈଜ୍ଞାନିକ ପ୍ରମାଣକୁ ଆଧାର କରି ଯାଞ୍ଚ ଜାରି ରହିବ ।”
ଦୁଇ ଦିନ ପୂର୍ବେ କୋରିଅରରେ ଆସିଥିବା ଏହି ଗ୍ରାଇଣ୍ଡରକୁ ସହରର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ମାତ୍ର ଦୁଇ ଦିନ ପରେ ଏହି ପାର୍ସଲକୁ ବ୍ୟକ୍ତି ଜଣଙ୍କ ସଠିକ ଠିକଣାରୁ ଆସିନଥିବା କହି ଫେରାଇବାକୁ ଆସିଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ କୋରିଅର ଅଫିସରେ ଅନେକ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି ।