ଚତୁର୍ଥ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ଯ୍ୟାୟରେ ୫ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି ସୁଦ୍ଧା ୪୦ଟି ସ୍କୁଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ। ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ, ଜ୍ଞାନର ଯୁଗ। ବର୍ତ୍ତମାନ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ।

ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ। ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ। ପିଲା ମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର।

ଆଗାମୀ ନଭେମ୍ବର ୧୪ ଶିଶୁ ଦିବସରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଟ୍ରାନ୍ସଫରମେସନରେ ରୂପାନ୍ତରିତ ହୋଇଥିବା ୧୦୭୦ ଲୋକାର୍ପିତ ହେବ ବୋଲି କାର୍ଯ୍ୟକ୍ରମ ପରିଚାଳନା କରି ୫ଟି ସଚିବ ଭି କେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –

(୧) ପଞ୍ଚାୟତ ହାଇସ୍କୁଲ, ଦୁରବନ୍ଧ ପଞ୍ଚାୟତ
(୨) ସରକାରୀ ହାଇସ୍କୁଲ, ସେରଗଡ ପଞ୍ଚାୟତ
(୩) ବୃନ୍ଦାବନ ସରକାରୀ ହାଇସ୍କୁଲ, ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲଟି
(୪) ରାମଚନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୫) ୟୁ.ଏନ୍‌. ହାଇସ୍କୁଲ, ସିକ୍ରୀ ପଞ୍ଚାୟତ
(୬) ବି. ବ୍ରହ୍ମପୁର ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(୭) ସରକାରୀ ୟୁ.ଜି. ହାଇସ୍କୁଲ, ବିକେପୁର, ପୁଟିଆପଦର ପଞ୍ଚାୟତ
(୮) ନରେନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୯) ସରକାରୀ ୟୁ.ଜି. ହାଇସ୍କୁଲ, ନନ୍ଦିକା ପଞ୍ଚାୟତ
(୧୦) ପିତ୍ତଳ ବାଳକ ହାଇସ୍କୁଲ, ପିତ୍ତଳ ପଞ୍ଚାୟତ