ଓଡ଼ିଶା ବିକାଶର ଯାନ ହେଉଛି ବିଜେଡି: ଦେବୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରବିବାର ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପି ରାଜ୍ୟର ସାଂପ୍ରତିକ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସିଧା ଟାର୍ଗେଟ୍ କରିଛି। ଏପରିକି ଓଡ଼ିଶାର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଥିବାର ଦଳ ଅଭିଯୋଗ କରିବା ସହ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଛି। ତେବେ ଓଡ଼ିଶାର ବିକାଶରେ ବାଧକ ନୁହେଁ, ବରଂ ବିଜେଡି ଓଡ଼ିଶା ବିକାଶର ଯାନ ବୋଲି ଦଳର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ବିରୋଧୀ ଯେଉଁ କଥା କହୁଛନ୍ତି ହୁଏତ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କିମ୍ବା ରାଜନୈତିକ ପରିପନ୍ଥୀରେ କହିଛନ୍ତି। କାରଣ ଓଡ଼ିଶାରେ ଯାହା ସବୁ ଉଲ୍ଲେଖନୀୟ ବିକାଶ ହୋଇଛି ତାହା ବିଜେଡି ସରକାର ହିଁ କରିଛି। ଯାହାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳୁଛି। ସେହିଭଳି ବିଜେପି ସହ ସିଧା ଲଢ଼େଇ ପ୍ରସଙ୍ଗରେ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ବିଜୁ ଜନତା ଦଳ ସର୍ବଦା ନିଜ ସହିତ ପ୍ରତିଦ୍ୱନ୍ଦିତା କରିଥାଏ। ୨୧ ବର୍ଷ ହେଲା ସେମାନେ ଯୁଦ୍ଧ କରୁଛନ୍ତି। ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ତାଙ୍କୁ ହିଂସାମୁକ୍ତ ଭାବରେ ଯୁଦ୍ଧ କରିବାର ସ୍ୱାଧୀନତା ରହିଛି। ଗଣତାନ୍ତ୍ରିକ ଢଙ୍ଗରେ କେଉଁ ରାଜନୈତିକ ଦଳ ତାଙ୍କର କାର୍ଯ୍ୟକ୍ରମ କଲେ ସେଥିରେ ଆମର ଆପତ୍ତି ନାହିଁ। ହେଲେ ଓଡ଼ିଶାର ସାମଗ୍ରୀକ ବିକାଶ ହେଉଛି ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ ଏବଂ ସେହି ଦିଗରେ ବିଜୁ ଜନତା ଦଳ କାର୍ଯ୍ୟ କରୁଛି। କରୋନା ମୁକାବିଲା ଏବଂ ପ୍ରବାସୀଙ୍କୁ ଥଇଥାନ କରିବାରେ ବିଜେଡି ସରକାର ସାରା ଦେଶରେ ଇତିହାସ ସୃଷ୍ଟିକରିଛି। ହେଲେ ବିରୋଧୀ ଏହାକୁ ସହିପାରୁନାହାନ୍ତି। ସେମାନେ ବିଭିନ୍ନ ବିବୃତି ରଖି କେବଳ ନିଜର ଅସହାୟ ଅବସ୍ଥାକୁ ଲୋକଲୋଚନକୁ ଆଣୁଛନ୍ତି।