ମହାନଦୀରେ ଆସିପାରେ ସ୍ୱଳ୍ପ ଧରଣର ବନ୍ୟା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର,ଏନ୍ଏନ୍ଏସ୍: ମହାନଦୀରେ ସ୍ବଳ୍ପ ଧରଣର ବନ୍ୟା ଆଶଙ୍କା । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏଭଳି ବର୍ଷା ଜାରି ରୁହେ, ତେବେ ମହାନଦୀରେ ବନ୍ୟା ଆସିପାରେ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, “ଆସନ୍ତାକାଲି ସକାଳ ୮ଟା ବେଳେ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ ।

ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ କହିଛୁ ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲିବ। ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ିପାରେ ।” ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡ଼ରେ ରଖାଯାଇଛି ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।