୨୪ ଘଣ୍ଟାରେ ଅବପାତ ରୂପ ନେବ ଲଘୁଚାପ, ୭ଟି ଜିଲ୍ଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଘନୀଭୂତ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହି ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ ରୁ ୫୫ କି.ମି ଓ ସର୍ବାଧିକ ୬୫ କି.ମି ଯାଏଁ ରହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବା ସହ ୪ ରୁ ୬ ମିଟର ଉଚ୍ଚ ଜୁଆର ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ମତ୍ସ୍ୟଜୀବୀଙ୍କୁ ୧୫ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମଧ୍ୟ ବାରଣ କରାଯାଇଛି ।

ଲଘୁଚାପ ଅବପାତର ରୂପ ନେବା ପରେ ଛତିଶଗଡ଼ ମୁହାଁ ହେବ । ଆଜି ଉପକୂଳ ଓଡିଶା ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ, ଆସନ୍ତାକାଲି (୧୪ ତାରିଖରେ) ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶା ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୭ଟି ଜିଲ୍ଲାକୁ ରେଡ୍‌ ଆର୍ଲଟ ଜାରି କରାଯାଇଛି । ଏହି ତାଲିକାରେ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ରହିଛି । ସେହିପରି ଅତି ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ବରଗଡ଼ ପ୍ରମୁଖ ଜିଲ୍ଲାଗୁଡିକ ଅରେଞ୍ଜ ଆଲର୍ଟ ସୂଚୀତ ଜିଲ୍ଲା ସାରଣୀରେ ରହିଛନ୍ତି । ସେହିପରି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି ରହିଛି ।

ସେହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳ ରହିଛି । ସେହିପରି ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳରେ ପ୍ରବଳ ବର୍ଷା ସହ ଝଡ ପବନ ଆଶଙ୍କା ରହିଛି । ପ୍ରବଳ ତଥା ଅତି ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ, ସହରରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ୍‌ ରୋଡ଼ରେ ପାଣି ଜମିବା ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି ସରକାର ।