ନୂଆଦିଲ୍ଲୀ,ଏଜେନ୍ସି: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଛି । କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଟାସ୍କ ଫୋର୍ସ ଗଠନ କରିଛି ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଚିତା ଟାସ୍କ ଫୋର୍ସର କାର୍ଯ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ । ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ । ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବ-କମିଟି ଗଠନ କରାଯିବ ।
ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ । ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ । ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ । ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ ।
ଭାରତୀୟ ମୃଗ ଓ ସମ୍ବରଙ୍କ ମଧ୍ୟରେ ଦୃତ ଗତି ଉପଯୋଜନ କରାଇବାରେ ଚିତା ବିବର୍ତ୍ତନୀୟ ପ୍ରାକୃତିକ ଚୟନ ଶକ୍ତି ଭାବେ କାମ କରିଥିଲା । ଚିତା ପୁନର୍ବାସନ ଦ୍ୱାରା ଆମେ କେବଳ ଏମାନଙ୍କ ଆଧାରକୁ ବଞ୍ଚାଇବାରେ ସକ୍ଷମ ହେବା ନାହିଁ ବରଂ ଚାରଣଭୂମି ବିଲୁପ୍ତ ପ୍ରାୟ ପ୍ରଜାତି ତଥା ଖୋଲା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଇ ପରିବା ବୋଲି କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି ।