ମୁମ୍ବାଇ,ଏଜେନ୍ସି: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ ରବିବାର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଜଣେ ମନ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି। ତେଣୁ ମୁମ୍ବାଇ ପୁଲିସ ଚାପରେ ରହି ମାମଲାର ତଦନ୍ତ କରୁଛି ବୋଲି ରାଣେ ଅଭିଯୋଗ କରିଛନ୍ତି। ରବିବାର ଏକ ଟିଭି ଚ୍ୟାନେଲକୁ ସେ କହିଛନ୍ତିି, ସୁଶାନ୍ତଙ୍କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଜରୁରୀ। ସୁଶାନ୍ତ ଏବଂ ଦିଶା ସାଲିୟନଙ୍କ ମୃତ୍ୟୁ ମଧ୍ୟରେ ସମ୍ପର୍କ ରହିଛି। ଏସବୁ ଆତ୍ମହତ୍ୟା ନୁହେଁ। ଶିବସେନାର ମନ୍ତବ୍ୟ ବେଶ୍ ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାଣେ କହିଛନ୍ତି ଯେ, ମୁଁ ଅଦିତ୍ୟ ଠାକରେଙ୍କ ନାମ ନେଇନାହିଁ। ଯେତେବେଳେ ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ତେବେ ସେ କାହିିଁକି ମୁହଁ ଖୋଲୁଛନ୍ତି। ଏହି ମାମଲା ସୁପ୍ରିମକୋର୍ଟ ଯାଇଥିବାରୁ ସୁଶାନ୍ତଙ୍କ ନ୍ୟାୟ ମିଳିବା ରାସ୍ତା ମଜଭୂତ ହୋଇଛି। ଏହା ପୂର୍ବରୁ ରାଣେ ଗତ ୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି।