ଅର୍ଦ୍ଧଦଗ୍ଧ ଶିଶୁକନ୍ୟାର ଚିକିତ୍ସା ପାଇଁ ହାତ ବଢ଼ାଇଲେ ମନ୍ତ୍ରୀ ସୁଶାନ୍ତ ସିଂ, ‘ହ୍ୟାପି ଟୁ ହେଲ୍ପ’ ସଦସ୍ୟଙ୍କ ସହାୟତାରେ ଏସସିବି ସ୍ଥାନାନ୍ତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୀତତାପ ନିୟନ୍ତ୍ରିତ କକ୍ଷରୁ ନିଆଁରେ ପୋଡ଼ି ଗୁରୁତର ଥିବା ୭ ବର୍ଷୀୟା ଶିଶୁକନ୍ୟାକୁ କାଢ଼ି ବିଧାୟକଙ୍କୁ ଶଯ୍ୟା ଦିଆଯାଇଥିଲା । ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସ୍ୱେଛାସେବୀ ସଂସ୍ଥା “ହ୍ୟାପି ଟୁ ହେଲ୍ପ’ ନିଜସ୍ୱ ଖର୍ଚ୍ଚରେ ଅନ୍ୟ ଏକ ପ୍ୟାଡ଼ ଏସି କ୍ୟାବିନରେ ଭର୍ତ୍ତି କରି ଚିକିତ୍ସା ଦାୟିତ୍ୱ ନେଇଥିଲେ । ତେବେ ଅଧିକ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତା ଥିବା ଜାଣିବା ପରେ ରାଜ୍ୟ ଶ୍ରମ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଗୁରୁତର ଶିଶୁ କନ୍ୟାର ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ।

ଆଜି ସକାଳେ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଗୁରୁତର ଶିଶୁକନ୍ୟା ସ୍ନେହାକୁ ଜେଜେ କ୍ଷୀରୋଦ ଓ ଆଇ ଜେମା ନାୟକଙ୍କ ସହ ଏକ ଆମ୍ବୁଲାନ୍ସଯୋଗେ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ବାପ ମା’ ଛେଉଣ୍ଡ ୮ ବର୍ଷୀୟା ନାତୁଣୀର ଉତ୍ତମ ଚିକିତ୍ସା ପାଇଁ ମନ୍ତ୍ରୀ ଶ୍ରୀ ସିଂ ସହଯୋଗର ହାତ ବଢ଼ାଇଥିବା ଜାଣିବା ପରେ ବୃଦ୍ଧ ଦମ୍ପତ୍ତି ଭାବବିହ୍ୱଳ ହେବା ସହ ‘ହ୍ୟାପି ଟୁ ହେଲ୍ପ’ ସଦସ୍ୟଙ୍କ ସହଯୋଗକୁ ଭୁରିଭୁରି ପ୍ରଶଂସା କରିଥିଲେ ।