ଶ୍ରୀନଗର,ଏଜେନ୍ସି: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସ୍ଥାନୀୟ ପୋଲିସ ଓ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାରମୁଲ୍ଲା ପୋଲିସ ମୁଫତିଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖି ଏପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସ୍ପଷ୍ଟ କରିଥିଲେ ସୁଦ୍ଧା ମୁଫତି କିନ୍ତୁ ପୁଣି ସମାନ ଅଭିଯୋଗକୁ ଦୋହରାଇଛନ୍ତି । ତାଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ ରଖାଯାଇଥିବା ସହ ତାଙ୍କ ବାସଭବନ ଗେଟରେ ପୋଲିସ ତାଲା ପକାଇଥିବା ମଧ୍ୟ ମୁଫତି ଅଭିଯୋଗ କରିଛନ୍ତି ।
ମୁଫତି କହିଛନ୍ତି, ଗତକାଲି ରାତିରେ ସେ ସ୍ଥାନୀୟ ବାରମୁଲ୍ଲା ଏସପିଙ୍କ ନିକଟରୁ ଏସମ୍ପର୍କିତ ଏକ ଫୋନ କଲ ପାଇଥିଲେ । ସେଥିରେ ତାଙ୍କୁ ଗୃହବନ୍ଦୀ କରାଯାଉଥିବା ଏସପି କହିବା ସହ ସେ ବାରମୁଲ୍ଲାର ପଟ୍ଟନକୁ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲେ । ପୋଲିସ ହିଁ ତାଙ୍କ ବାସଭନର ମୁଖ୍ୟ ଫାଟକରେ ତାଲା ପକାଇଥିବା ମୁଫତି କହିଛନ୍ତି ।
ସ୍ଥାନୀୟ ପୋଲିସ ମୁଫତିଙ୍କ ଅଭିଯୋଗକୁ ଖଣ୍ଡନ କରିବା ସେପରି କିଛି ହୋଇନଥିବା ଓ ସମସ୍ତେ ସମସ୍ତ କାର୍ଯ୍ୟ କରିବା ପାଇଁ ସ୍ବାଧୀନ ବୋଲି ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ । ତାଙ୍କ ଗେଟରେ ପୋଲିସ ତାଲା ପକାଇନାହିଁ ଓ ଏହା ହୁଏତ ତାଙ୍କ ଦ୍ବାରା କିମ୍ବା ସ୍ଥାନୀୟ ଲୋକଙ୍କ ଦ୍ବାରା କରାଯାଇଥିବା ପୋଲିସ କହିଛି । ଆଜି ମୁଫତି ପୋଲିସ ପ୍ରଶାସନ ଉପରେ ପାଲଟା ଅଭିଯୋଗ ଆଣିବା ସହ ସରକାରୀ ସଂସ୍ଥାଗୁଡିକ ଦିଗହରା ହୋଇ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି ।