ମା’ ହେଲା ବାଘୁଣୀ ମେଘା, ୩ ଶାବକ ଜନ୍ମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନକୁ ଆସିଲେ ୩ ନୂଆ ଅତିଥି। ନନ୍ଦନକାନନରେ ଥିବା ବାଘୁଣୀ ମେଘା ୩ ଶାବକଙ୍କୁ ଜନ୍ମ ଦେଇଛି। ମଙ୍ଗଳବାର ରାତିରେ ଏହି ଶାବକମାନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକମାନେ ଜନ୍ମ ନେଇଛନ୍ତି।

ବାଘ ଛୁଆଙ୍କୁ ବର୍ତ୍ତମାନ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ବାଘୁଣୀ ମେଘା ଓ ଶାବକମାନେ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନୂଆ ଅତିଥିଙ୍କ ଆଗମନ ସହ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୦ରେ ପହଞ୍ଚିଛି। ଏହାପୂର୍ବରୁ ଗତ ମାସ ୨୮ ତାରିଖରେ ବାଘୁଣୀ ବିଜୟା ତିନିଟି ଶାବକ ଜନ୍ମ ଦେଇଥିଲା। ବର୍ତ୍ତମାନ ନନ୍ଦନକାନନରେ ୭ଟି ଧଳା ବାଘ, ୪ଟି କଳା ବାଘ ବା ମେଲାନିଷ୍ଟିକ୍ ବାଘ ଓ ୧୩ଟି ବଡ ମହାବଳ ବାଘ ଓ ୬ଟି ଛୁଆ ବାଘ ଅଛନ୍ତି। ମେଘା ମା’ ହେବା ପରେ ନନ୍ଦନକାନନ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।