ଖରସ୍ରୋତା ପାଇପ ୱାଟର ପ୍ରୋଜେକ୍ଟକୁ ନେଇ ମିଥ୍ୟା ତଥ୍ୟ ଦିଆଯାଇଛି: କଂଗ୍ରେସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ରାପଡ଼ା ଜିଲ୍ଲା ବରୁଗଡ଼ିଆ ଖରସ୍ରୋତା ନଦୀ ଉପରେ ନିର୍ମାଣ କରାଯାଉଥିବା ମେଗା ପାଇପ୍ ୱାଟର ସପ୍ଲାଏ ପ୍ରୋଜେକ୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏସ୍‌ପିଙ୍କ ବିରୋଧରେ ଫୌଜଦାରୀ ମାମଲା ତୁରନ୍ତ ରୁଜୁ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

ଆଜି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଆବାହକ ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ ଖରସ୍ରୋତା ନଦୀ ବରୁଗଡ଼ିଆଠାରେ କରାଯାଉଥିବା ମେଗା ପାଇପ ୱାଟର ପ୍ରୋଜେକ୍ଟ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଥ୍ୟା ତଥ୍ୟ ଦିଆଯାଇଛି। ରାଜ୍ୟ ସରକାରଙ୍କର ପକ୍ଷରୁ ଦିଆଯାଇଥିବା ପରିବେଶ ସାମାଜକି ପ୍ରଭାବ (ଇଏସ୍‌ଆଇଏ) ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଯେହେତୁ ପ୍ରକଳ୍ପଟି ଭିତର କନିକା ଇକୋ ସେନ୍‌ସିଟିଭ ଜୋନ୍ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍‌ସିଟିଭ୍ ଜୋନ୍ କମିଟିର ସହମତି ସହିତ ସ୍ୱୀକୃତି ନେବା ଜରୁରୀ ରହିଛି। ଭିତରକନିକା ଉପରେ ପ୍ରକଳ୍ପର କ’ଣ ପ୍ରତିକୂଳ ପ୍ରଭାବ ବା ପଡ଼ିବନାହିଁ ତା’ର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ ପରେ ହିଁ ଇକୋ ସେନ୍‌ସିଟିଭ ଜୋନ୍ କମିଟିର ମିଟିଂରେ ଆଲୋଚନା ହୁଏ। ଏହା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି।

ଏ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୧୬ ଜୁନ୍ ୨୦୧୫ ମସିହାରେ ଏକ ଗେଜେଟ୍ ନୋଟିଫିକ୍‌ସେନ୍ ବା ବିଜ୍ଞପ୍ତି ଜାରି କରିଥିଲେ। ମାତ୍ର ରାଜ୍ୟ ସରକାର ଭଦ୍ରକ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସମ୍ପର୍କରେ କୌଣସି ଏନ୍‌ଭିରନ୍‌ମେଣ୍ଟ ସୋସିଆଲ୍ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଷ୍ଟଡି(ଇଏସ୍‌ଆଇଏ) କରିନାହାନ୍ତି।
ଶ୍ରୀ ନାୟକ ପୁଣି ଅଭିଯୋଗ କରିଛନ୍ତି ଯେ ଏହି ପ୍ରକଳ୍ପକୁ ନେଇ କେନ୍ଦ୍ରପଡ଼ା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ରାଜ୍ୟ ସରକାର ମିଛ କହିଛନ୍ତି। ଏପରିକି ରାଜ୍ୟ ସରକାର ଯେଉଁ (ଇଏସ୍‌ଆଇଏ) ରିପୋର୍ଟକୁ ଦେଖାଉଛନ୍ତି, ତାହା ଆଇଟି ହାଇଦ୍ରାବାଦର ଫେକ୍ ରିପୋର୍ଟ ରହିଛି। ନଅ ଶହ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନସ୍ତରକୁ ଖସି ଯିବେ ଓ ଫେକ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୁଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।

କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ ଭିତରକନିକା ଏକ ଇକୋ-ସେନ୍‌ସିଟିଭ ଜୋନ୍ ହୋଇଥିବା ବେଳେ ସରକାର କାହିଁକି ଦେଶର ଏକ ବିଶ୍ୱସନୀୟ ସଂସ୍ଥାଠାରୁ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଏସେସମେଣ୍ଟ(ଇଆଇଏ) ରିପୋର୍ଟ ପ୍ରସ୍ତୁତ କଲେନାହିଁ। ଏହା ଏକ ଅତ୍ୟନ୍ତ ସ୍ପର୍ଶକତାର ପରିବେଶ ସଂକ୍ରାନ୍ତ ପ୍ରସଙ୍ଗ ହୋଇଥିବା ବେଳେ ସରକାର ଆଇଆଇଟି ହାଇଦ୍ରାବାଦର ସିଭିଲ ଇଞ୍ଜିନିୟରିଂ ବିଭାଗ ଦ୍ୱାରା କାହିଁକି ରିପୋର୍ଟ ପ୍ରସ୍ତୁତ କଲେ। ଆଇଆଇଟି ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଉଛନ୍ତି, ତାହା ଭଦ୍ରକ ମେଗା ପାଇଁ ପାଇପ୍ ପାନୀୟ ଜଳ ପ୍ରକଳ୍ପର ଫିଜିବିଲଟି ରିପୋର୍ଟ। ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ। ସେହିପରି ୪୦% ପ୍ରକଳ୍ପ କାର୍ଯ୍ୟ ସରିବା ପରେ କାହିଁକି ପ୍ରଶାସକ ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂ ଡାକିଲେ ନାହିଁ।

ଆଇଆଇଟି ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ରିପୋର୍ଟର କପି କାହିଁକି ସରକାରଙ୍କ ପାଖରେ ନରହି ପ୍ରୋଜେକ୍ଟର ଠିକା ସଂସ୍ଥା ମେଘା ଇନ୍‌ଫ୍ରା ପାଖରେ ରହିଲା। ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟ ପରିବେଶ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ କାହିଁକି ନୀରବ ଅଛନ୍ତି। ଏ ଘଟଣାର କେନ୍ଦ୍ରୀୟ ଆଇନର ଉଲ୍ଲଂଘନ ହୋଇଛି ତେଣୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଅଭିଯୁକ୍ତ ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।