ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବିତ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସର୍ବନିମ୍ନ ୩ ମାସ ପାଠ ପଢାଯିବା ପରେ ପରୀକ୍ଷା ହେବ। ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନହେଲେ ପରୀକ୍ଷା ହେବ।
ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟବସ୍ଥା ହେଉଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ କରୋନା କଟକଣା ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଅନଲାଇନ ଶିକ୍ଷା ବ୍ୟବସ୍ଥା ଅଧିକାଂଶ ସ୍ଥାନରେ ସଫଳ ହୋଇନଥିବାରୁ ଓ ବିଦ୍ୟାର୍ଥୀ ତଥା ଅଭିଭାବକଙ୍କ ପ୍ରତି ଦୃଷ୍ଟି ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ କରୋନା ପାଇଁ ମୂଳରୁ ସ୍କୁଲ ଖୋଲିନି। ଏଥିସହ ସ୍ଥିତିକୁ ଦେଖି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଥିଲେ ବି ଅନଲାଇନ୍ ଶିକ୍ଷା ଫଳପ୍ରଦ ହୋଇପାରିନି। ଏମିତିକି ରାଜ୍ୟର ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୨ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ୍ ଶିକ୍ଷା ପହଞ୍ଚିପାରିଛି। କିନ୍ତୁ ଅବଶିଷ୍ଟ ପିଲାଙ୍କର ତ ମୂଳରୁ ବହି ଓଲଟିନି କହିଲେ ଚଳେ।