ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସମୟରେ ମମତା ସୀମା ସୁରକ୍ଷା ବଳର କ୍ଷମତା ବଢ଼ାଇବା ସହ ତ୍ରିପୁରା ହିଂସା ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ମୋଦୀଙ୍କୁ ଗ୍ଲୋବାଲ ବିଜେନେସ ମିଟ ସମାରୋହରେ ଯୋଗ ଦେବା ପାଇଁ ମମତା ନିମନ୍ତ୍ରଣ କରିଛନ୍ତି।
ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଲଗାତାର ଭାବେ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଆମକୁ କେନ୍ଦ୍ର ପାଖରୁ ଅନେକ ଟଙ୍କା ମିଳିବାର ଅଛି। ମୁଁ ସେହି ଟଙ୍କା କଥା କହିଛି। ଆଉ ପରିସ୍ଥିତି ଦେଖି ଆମେ ଟଙ୍କା ସମ୍ପର୍କରେ ଜଣାଇବୁ ବୋଲି ସେ କହିଛନ୍ତି। ରାଜ୍ୟରେ ଭ୍ୟାକ୍ସିନ ଡୋଜର ଆବଶ୍ୟକତାକୁ ନେଇ ମଧ୍ୟ ମୁଁ ଆଲୋଚନା କରିଛି। ଝୋଟ ଇଣ୍ଡଷ୍ଟ୍ରୀ ସମ୍ବନ୍ଧରେ ମଧ୍ୟ ଜଣାଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ନେତା କୀର୍ତ୍ତି ଆଜାଦ, ହରିୟାଣା କଂଗ୍ରେସ ପୂର୍ବ ଅଧ୍ୟକ୍ଷ ଅଶୋକ ତମ୍ବର ଓ ଜେଡିୟୁ ପୂର୍ବ ନେତା ପବନ ବର୍ମାଙ୍କୁ ମଙ୍ଗଳବାର ଦଳରେ ସାମିଲ କରିଛନ୍ତି।