ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ କିଛି ନେତା ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ସଂନ୍ଧ୍ୟାରେ କରୋନା ସମ୍ବନ୍ଧରେ ଚର୍ଚ୍ଚା କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ଡକାଇଥିଲେ ହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ସାମିଲ ହେବେ ନାହିଁ। ସେଥିପାଇଁ ମମତାଙ୍କ ବଦଳରେ ଚୀଫ ସେକ୍ରେଟାରୀ ଅଲାପନ ବନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗର ପ୍ରତିନିଧିତ୍ୱ କରିବେ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଯୋଗୁ ମମତା ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମଧ୍ୟ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ମମତା ସାମିଲ ହୋଇନଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ କରୋନାର ବର୍ତ୍ତମାନ ସ୍ଥିତିକୁ ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଅଧିକାରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଲୋଚନା କରିବେ। ମୋଦୀ ୨ଦିନ ପୂର୍ବରୁ କରୋନା ରିଭ୍ୟୁ ମିଟିଂ କରିଥିଲେ। ଏଥିରେ କରୋନାକୁ ରୋକିବା ପାଇଁ ଶକ୍ତ ପଦକ୍ଷେପ ନେବାକୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମୋଦୀ ପରାମର୍ଶ ଦେଇଥିଲେ।