ଇଦ୍ ନମାଜ ପାଠରେ ସାମିଲ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଡ ରୋଡରେ ଇଦ୍ ନମାଜ ପାଠରେ ସାମିଲ ହୋଇଛନ୍ତି। ଏଠାରେ ନମାଜ ପାଇଁ ଏକତ୍ରିତ ହୋଇଥିବା ୧୪ ହଜାର ଲୋକଙ୍କୁ ମମତା ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମମତା କହିଛନ୍ତି ଯେ, ଭାରତରେ ଚାଲିଥିବା ଏକକୀକରଣ ରାଜନୀତି ଠିକ୍ ନୁହେଁ । ୨ ବର୍ଷ ପରେ ରେଡ ରୋଡରେ ଐତିହାସିକ ଇଦର ନମାଜ ପାଠ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇଥିବାରୁ ମୁଁ ବେଶ୍ ଖୁସି ଅନୁଭବ କରୁଛି । ଏମିତି କେଉଁଠି ବି ହୋଇନଥାଏ । ଦେଶରେ ସ୍ଥିତି ଠିକ୍ ନାହିଁ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଇର୍ଷା ପରାୟଣ ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ଲାଗି ମିଥ୍ୟା ପ୍ରଚାର କରୁଛନ୍ତି । ସେଥିପାଇଁ ଡରନ୍ତୁନି, ଲଢ଼େଇ ଜାରି ରଖନ୍ତୁ । ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିବି ।