‘ମୁଁ ବଞ୍ଚିଥିବା ଯାଏ ସିଏଏ ଲାଗୁ କରାଇ ଦେବିନାହିଁ’ ଦେଶ- ବିଦେଶ By Nitidin On Dec 16, 2019 Share କୋଲକାତା: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ସୋମବାର ସୁଦ୍ଧା ରାଜ୍ୟରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏକ ମେଗା ରାଲି କରି ‘ମୁଁ ବଞ୍ଚିଥିବା ଯାଏ ରାଜ୍ୟରେ ସିଏଏ ଲାଗୁ କରାଇ ଦେବିନାହିଁ’ ବୋଲି ଦୃଢ଼ୋକ୍ତି କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମମତାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ କର୍ମୀମାନେ ଏକ ରାଲିରେ କୋଲକାତାର ରେଡ୍ ରୋଡ୍ ସ୍ଥିତ ବିଆର୍ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ବାହାରି ଜୋରାସାଙ୍କୋ ଠାକୁରବାଡ଼ିଠାରେ ପହଞ୍ଚଥିଲେ। ରାଲିରେ ମମତା କହିଛନ୍ତି, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ତାଙ୍କ ରାଜ୍ୟରେ ସିଏଏ ଲାଗୁ କରିପାରିବେ ନାହିଁ। ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି ଏହା କରାଇ ଦେବିନାହିଁ। ସେମାନେ ମୋ ସରକାରକୁ ବରଖାସ୍ତ କରନ୍ତୁ ପଛେ ଆମେ କଦାପି ଆତ୍ମସମର୍ପଣ କରିବୁ ନାହିଁ। ସେ ଆହୁରି କହିଲେ, ଆମେ ଯେତେବେଳେ ଏନଆରସି ବିରୋଧରେ ସ୍ୱର ଉତ୍ତୋଳନ କଲୁ ସେତେବେଳେ ଆମ ସହ କେହି ନଥିଲେ। କିନ୍ତୁ ଏବେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କଲେଣି। ସମ୍ପ୍ରତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିଏଏକୁ ବିରୋଧ କଲେଣି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏନଆରସି କାର୍ଯ୍ୟକାରୀ କରାଇଦେବେ ନାହିଁ ବୋଲି କହିଛନ୍ତି। ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ଼ ଓ କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ବିରୋଧ କରିଥିବା ମମତା କହିଛନ୍ତି। ଇତିମଧ୍ୟରେ ସିଏଏକୁ ଜୋରଦାର ବିରୋଧ ଯୋଗୁଁ ରାଜ୍ୟର ୬ଟି ଜିଲ୍ଲା ମାଲଦା, ଉତ୍ତର ଦିନାଜପୁର, ମୁର୍ଶିଦାବାଦ, ହାୱଡ଼ା, ଉତ୍ତର ୨୪ ପ୍ରଗଣା ଓ ଦକ୍ଷିଣ ୨୪ ପ୍ରଗଣାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ରାଜ୍ୟର କେତେକ ଭାଗରେ ଆନ୍ଦୋଳନକାରୀମାନେ ସଡ଼କ ଓ ରେଳପଥ ଅବରୋଧ କରିବା ରିପୋର୍ଟ ମିଳିଛି। ପୂର୍ବ-ମେଦିନାପୁର ଓ ମୁର୍ଶିଦାବାଦ ଜିଲ୍ଲାରେ ସୋମବାର ସକାଳଠାରୁ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରେଳବାଇର ଜଣେ ମୁଖପାତ୍ର କହିଛନ୍ତି, ସିଆଲଦା-ଡାଇମଣ୍ଡ ହାର୍ବର୍ ଏବଂ ସିଆଲଦା-ନମଖାନା ସେକ୍ଟରରେ ଆନ୍ଦୋଳନକାରୀମାନେ ରେଳଲାଇନ୍ ଅବରୋଧ କରିଥିଲେ। ରବିବାର ରାତିରେ ଉଲୁବେରିଆ ଥାନା ଅଧିକାରୀ ଓ ଅନ୍ୟ କେତେକ ପୁଲିସ କର୍ମଚାରୀଙ୍କ ଉପରେ ଆନ୍ଦୋଳନକାରୀମାନେ ଆକ୍ରମଣ କରିବାରୁ ସେମାନେ ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ନଦୀୟା ଓ ବୀରଭୂମ ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବାର ରିପୋର୍ଟ ମିଳିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶାୟନ୍ତନ ବସୁ ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳାର ଅଧୋଗତି ପାଇଁ ତୃଣମୂଳ କଂଗ୍ରେସ ସମ୍ପୂର୍ଣ୍ଣ ଦାୟୀ। Share