ମାହାଙ୍ଗା ଡବଲମର୍ଡର ଘଟଣାରେ ଡେମୋ ଦେଖାଇଲା ଅଭିଯୁକ୍ତ

ଖଣ୍ଡା, ମୋବାଇଲ, ବାଇକ, ଡେଙ୍ଗା ଜବତ

କୁଆଁପାଳ, ଏନ୍ଏନ୍ଏସ୍: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଠେଙ୍ଗା, ମୋବାଇଲ, ବାଇକ ଆଦି ଜବତ ହୋଇଥିବା କଟକ ଗ୍ରାମାଞ୍ଚଳ ଏସପି ବି. ବିମଳ କିଶୋର ଏକ ସାମ୍ବାଦି ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ କେମିତି ହତ୍ୟା କରାଯାଇଥିଲା ତାହାର ଡେମୋ ଦେଖାଇଛନ୍ତି ଅପରାଧୀ । ହତ୍ୟାକାଣ୍ଡସ୍ଥଳରେ ସ୍କ୍ରିନ ରିକ୍ରିଏସନ୍ କରାଯାଇଥିବାବେଳେ ଘଟଣାସ୍ଥଳରୁ ବଡ଼ ଖଣ୍ଡା ଜବତ କରିଛି ପୁଲିସ।

ସୂଚନା ଯୋଗ୍ୟ, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ଗ୍ରାମାଞ୍ଚଳ ଏସପିଙ୍କ ତତ୍ୱାବଧାନରେ ଅତିରିକ୍ତ ଏସପି ଅଲେଖ ଚନ୍ଦ୍ର ପହି, ପିକେ ଜେନା, ସାଲେପୁର ଏସଡିପିଓ ରଞ୍ଜିତ ପୃଷ୍ଟି, ମାହାଙ୍ଗା, ସାଲେପୁର, କିଶୋନନଗର, ନେମାଳ, ନିଶ୍ଚିନ୍ତକୋଇଲି ଥାନା, ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକ ଓ କୁମୁଡା ଜୟପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କ ସମେତ ୨୦ରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୫ ଟି ଟିମ୍ ଗଠନ କରାଯାଇଥିଲା। ୪୮ ଘଣ୍ଟା ଧରି ଏହି ସ୍ୱତନ୍ତ୍ର ୫ଟି ପୁଲିସ୍ ଟିମ୍ ମାହାଙ୍ଗା, ବଡ଼ଚଣା ଓ କେନ୍ଦ୍ରାପଡା ଅଞ୍ଚଳରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ଜଁକୋଠି ଗ୍ରାମର ପଞ୍ଚାନନସେଠୀ,ଧୃବଚରଣ ସେଠୀ, ଅରବିନ୍ଦ ଖଟୁଆ(ଅରୁ) କ୍ଷିତିଶ ଆଚାର୍ଯ୍ୟ, ଲଳିତମୋହନ ବରାଳଙ୍କୁ ଗିରଫ କରାଯାଇଥିବା ଏସ୍ପି. ସୂଚନା ଦେଇଛନ୍ତି। ଏନେଇ ମାହାଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡାକୁ ମୁଖ୍ୟ ଆସାମୀ ପଞ୍ଚାନନ ସୁକୁନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ରଖିଥିବା କହିବା ପରେ ପୁଲିସ ପଞ୍ଚାନନକୁ ଘଟଣାସ୍ଥଳକୁ ନେଇ ସେଠାରୁ ଖଣ୍ଡାଟି ଜବତ କରିଥିଲା। ସେହିପରି ପୁଲିସ ମଧ୍ୟ ଦୁଇ ହଳ ଚପଲ, ଗୋଟିଏ ଚଷମା କାଚ, ଗୋଟିଏ ରୁମାଲ, ତିନୋଟି ଗ୍ୟାସ ଗ୍ରାହକ କାର୍ଡ, ଧଳା ରଙ୍ଗର କପଡା ବ୍ୟାଗ୍ , ଗୋଟିଏ ଟର୍ଚ୍ଚ ଲାଇଟ୍, ଗୋଟିଏ ରକ୍ତ ଭିଜା ଲୁଗା, ଉଭୟ ମୃତକ ଓ ହତ୍ୟାକାରୀଙ୍କ ବସ୍ତ୍ର, ୪ ଟି ମୋବାଇଲ, ମୃତକ କୁଳମଣିଙ୍କ ପ୍ୟାସନ ପ୍ରୋ ବାଇକ. ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ହିରୋ ଗ୍ଲାମର ବାଇକକୁ ଜବତ କରିଛି। ଏଥି ସହିତ ସଂପୃକ୍ତ ଥିବା ଆଉ ୧୦ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ କେଶର ତଦନ୍ତ ଚାଲୁ ଥିବା ଏସପି ସୂଚନା ଦେଇଛନ୍ତି।