ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ରାଜ୍ୟରେ ବଢିଲା ଲକଡାଉନ୍ । ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ଜୁଲାଇ ୩୧ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଏବଂ ରାଉରକେଲା ମହାନଗର ନିଗମରେ ଲକଡାଉନ ଲାଗୁହେବ। ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ। ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରୋସରୀ, କ୍ଷୀର ଓ ପରନିପରିବା ଦୋକାନ ଖୋଲା ରହିବ। ଔଷଧ ଦୋକାନରେ କୌଣସି କଟକଣା ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସୂଚନା ଦେଇଛନ୍ତି।
ଲକ୍ଡାଉନ୍ ସମୟରେ ଜନସାଧାରଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦୋକାନବଜାର, ଅଫିସ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବି ବନ୍ଦ ରହିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ। କେବଳ ପୁଲିସ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା, ଜଳଯୋଗାଣ, ପରିମଳ, ବିଦ୍ୟୁତ ସରବରାହ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଚାଲୁ ରହିବ ଓ ଏଥିସହ ଜଡ଼ିତ କର୍ମଚାରୀ ଯାତାୟତ କରିପାରିବେ।
ଅନ୍ୟପକ୍ଷରେ ଏହି ଲକ୍ଡାଉନ୍ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ, ଔଷଧ ଦୋକାନ ଖୋଲା ରହିବ। ସେହିପରି ରନ୍ଧନ ଗ୍ୟାସ ଯୋଗାଣ ଓ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ। ଅନ୍ୟପକ୍ଷରେ ତେଜରାତି ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ, ମାଛ-ମାଂସ ଦୋକାନ ଲକ୍ଡାଉନ୍ ସମୟରେ ସବୁଦିନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଜିନିଷ ପତ୍ର ଯୋଗାଣରେ ଯେପରି ବାଧା ନଉପୁଜିବ ସେଥିଲାଗି ମାଲବାହୀ ଗାଡ଼ିର ପରିବହନକୁ ଅନୁମତି ଦିଆଯାଇଛି। ଏଥିସହ ବିଭିନ୍ନ ରାସ୍ତପାର୍ଶ୍ୱରେ ଟ୍ରକ୍ ଚାଳକଙ୍କ ପାଇଁ ଢ଼ାବା ଓ ହୋଟେଲ ଖୋଲା ରହିବ। କିନ୍ତୁ ଏହି ଢ଼ାବା ହୋଟେଲରେ ଲୋକେ ବସି ଖାଇ ପାରିବେ ନାହିଁ, କେବଳ ପାର୍ସଲରେ ଖାଦ୍ୟ ନେଇ ପାରିବେ।
ଲକ୍ଡାଉନ୍ ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ, ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଏବଂ ମୁଦ୍ରିତ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀ ପାସ୍ ଦେଖାଇ ଯାତାୟତ କରି ପାରିବେ।