ଗୃହରେ ହଟ୍ଟଗୋଳ ବେଳେ ତାରା ଅସୁସ୍ଥ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିଟି ଦାବିରେ କଂଗ୍ରେସ ସଭ୍ୟଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହ ମଝିରେ ହଟ୍ଟଗୋଳ କରୁଥିଲାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ସେ ବାଚସ୍ପତିଙ୍କ ପୋଡିୟମ୍ ତଳେ ଥିବା ସଚିବଙ୍କ ଚେୟାର ଉପରେ ଚଢ଼ିବାକୁ ଉଦ୍ୟମ କରୁଥିଲାବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା। ସେଥିପାଇଁ ସେ ତଳେ କିଛି ସମୟ ପାଇଁ ମୁଣ୍ଡକୁ ତଳକୁ କରି ସ୍ଥିର ହୋଇ ବସି ରହିଥିଲେ। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଡାକ୍ତର ଚିକିତ୍ସା କରିବା ପରେ ଛାଡ଼ି ଦିଆଯାଇଥିଲା।

ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ତାରା ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ଦ୍ୱିତୀୟାର୍ଦ୍ଧ ବୈଠକରେ ବିଶ୍ୱବିଦ୍ୟାଳୟ ବିଲ୍ ଆଲୋଚନା ବେଳେ ହିଁ ତାରା ଅସୁସ୍ଥ ହୋଇଥିଲେ। ଗୃହ ମଝିରେ ହଟ୍ଟଗୋଳ କରୁଥିବା ଅନ୍ୟ କଂଗ୍ରେସ ସଭ୍ୟମାନେ ବିଧାନସଭା ‘ଲବି’କୁ ତାଙ୍କୁ ଉଠାଇ ନେଇଥିଲେ। ସେଠାରେ ଡାକ୍ତରମାନେ ଆସି ଚିକିତ୍ସା କରିଥିଲେ। ପରେ ତାଙ୍କୁ ଘରେ ଛାଡ଼ି ଦିଆଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଗୃହକୁ ଆସିଥିଲେ। ବାଚସ୍ପତି ଡ. ପାତ୍ର ବି ତାରାଙ୍କୁ ଦେହ ଖରାପ ପାଇଁ ପ୍ରତିବାଦ କମ୍ କର ବୋଲି ବାରମ୍ବାର ପରାମର୍ଶ ଦେଉଥିବା ଦେଖାଯାଇଥିଲା।