ଉଚ୍ଚତାଠାରୁ ଅଧିକ ଲମ୍ବା କେଶ

ଲମ୍ବା, କଳା ଓ ସୁନ୍ଦର କେଶ ରଖିବା ପାଇଁ ପ୍ରତ୍ୟେକ ମହିଳାଙ୍କର ଇଚ୍ଛା ଥାଏ। କିନ୍ତୁ ସହରରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ, ଆୟରନଯୁକ୍ତ ପାଣି ଓ ଚିନ୍ତା ପରି ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ଲୋକମାନଙ୍କର କେଶ ଖରାପ ହୋଇ ଯାଉଛି। ପୁରୁଷମାନେ ମଧ୍ୟ ନିଜ କେଶ ପାଇଁ ବେଶ୍ ସଚେତନ ଓ ଯତ୍ନଶୀଳ ରହନ୍ତି। ଅଲଗା ଅଲଗା ଶାମ୍ପୁ ବ୍ୟବହାର କରି ଓ ହେୟାର୍ ଟ୍ରିଟ୍‌ମେଣ୍ଟ୍ କରି ମଧ୍ୟ କିଛି ଲୋକଙ୍କୁ ସନ୍ତୋଷ ମିଳେ ନାହିଁ। କିନ୍ତୁ ବିଶ୍ୱରେ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ମହିଳାମାନଙ୍କର କେଶ କଳା ସହିତ ଅଧିକ ଲମ୍ବା ହୋଇଥାଏ। ଲମ୍ବା କେଶ କାରଣରୁ ଏହି ଗ୍ରାମ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ଦକ୍ଷିଣ ଚୀନ୍‌ରେ ସ୍ଥିତ ଗୁଇଲିନ୍ ସହରରୁ ଦୁଇ ଘଣ୍ଟା ଦୂରରେ ଅବସ୍ଥିତ ହୁଆଙ୍ଗଲୁଓ ଏକ ସାଧାରଣ ଗ୍ରାମ। କିନ୍ତୁ ଏହି ଗ୍ରାମର ବିଶେଷତ୍ୱ ହେଲା ମହିଳାମାନଙ୍କର ଲମ୍ବା କେଶ।

ରିପୋର୍ଟ ଅନୁସାରେ ସେଠାରେ ରହୁଥିବା ମହିଳାମାନଙ୍କର କେଶ ୫ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୁଏ। କିଛି କିଛି ମହିଳାଙ୍କର କେଶ ୬ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହେବାର ଦେଖାଯାଏ। ଏପରିକି ୨୦୦୪ରେ ଜଣେ ମହିଳାଙ୍କର କେଶ ୭ ଫୁଟ୍ ଲମ୍ବା ହୋଇଥିବା ଜଣାଯାଏ। ମାନ୍ୟତା ଅନୁସାରେ ୟାଓ ନାମରେ ପ୍ରସିଦ୍ଧ ଏହି ମହିଳାମାନେ ୧୭-୧୮ ବର୍ଷ ମଧ୍ୟରେ ଥରେ ମାତ୍ର କେଶ କାଟିବାର ବିଧି ରହିଛି। କେଶ କାଟିବା ପାଇଁ ଏକ ସେରେମନୀର ଆୟୋଜନ କରାଯାଏ। କେଶର ଯତ୍ନ ପାଇଁ ମହିଳାମାନେ ନିଜେ ତିଆରି କରିଥିବା ବିଶେଷ ପ୍ରକାରର ଏକ ଶାମ୍ପୁର ବ୍ୟବହାର କରିଥାନ୍ତି। ନିଜ କେଶକୁ ନେଇ ତାଙ୍କ ପୂର୍ବଜମାନଙ୍କ ସହିତ ଏକ ସମ୍ପର୍କ ରହିଛି ବୋଲି ସେମାନେ ଭାବନ୍ତି। ୟାଓ ମହିଳାମାନଙ୍କର ଡ୍ୟାନ୍ସ ମଧ୍ୟ ଖୁବ୍ ପ୍ରସିଦ୍ଧ ଓ ଏହାକୁ ଦେଖିବାକୁ ଅନେକ ଦୂରରୁ ଲୋକମାନେ ଆସନ୍ତି।